ଓଡ଼ିଶା

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର; ତା-୦୯|୦୭ : ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଖୋର୍ଦ୍ଧା ଜିଲ୍ଲା ଦୌରାଜଯ କୋର୍ଟ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଶୁଣି ଜାମିନ ପ୍ରଦାନ କରିଛନ୍ତି । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ ଜାମିନ ପାଇଁ କରିଥିଲେ ଆବେଦନ । ତେବେ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ ଜଗନ୍ନାଥ । ପରେ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା ।୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଛି ଜାମିନ। ଏ ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ପ୍ରଧାନଙ୍କ ଓକିଲ ।

ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଥିଲା ପୁଲିସ । ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଥିଲା । ଗତ ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ କରିଥିଲା ଗିରଫ । ଆକ୍ରମଣ ପାଇଁ ଷଡ୍‌ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ନିଆଯାଇଥିଲା । ସେଠାରେ ଜଗନ୍ନାଥ ପ୍ରଧାନଙ୍କୁ ଦୁଇ ଜଣ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଶେଷରେ ଡାକ୍ତରଖାନାରୁ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କର ଜାମିନକୁ ନାମଞ୍ଜୁର କରିଦେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ପଠା ଯାଇଥିଲା। ହେଲେ ଆଜି ତାଙ୍କୁ ବେଲ୍‌ ମିଳିଛି ।

ସେପଟେ ଜଗନ୍ନାଥ ପ୍ରଧାନ ଜେଲ୍ ଯିବା ପରେ ରାଜରାସ୍ତାରେ ସମର୍ଥକ ମାନେ କରିଥିଲେ ହଙ୍ଗାମା । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ସମର୍ଥକମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଡିସିପିଙ୍କ କାର୍ଯ୍ୟାଳୟ ଓ ଝାରପଡ଼ା ଜେଲ୍‌ ସାମ୍ନାରେ ସମର୍ଥକମାନେ ବିରୋଧ କରିବା ସହ ଜୋରଦାର ହୋହଲ୍ଲା କରିଥିଲେ । ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ତେବେ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର ବୋଲି ତାଙ୍କ ସମର୍ଥକ ଦାବି କରିଥିଲେ ।

Related Articles

Back to top button