ଓଡ଼ିଶା

କାଲିଠୁ ଶ୍ରାବଣ ମାସ ଆରମ୍ଭ

ଭୁବନେଶ୍ୱର ୧୦|୦୭: ଆସନ୍ତାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଜୁଲାଇ ୧୧ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ ଶ୍ରାବଣ ମାସ । ମହାଦେବଙ୍କ ଭକ୍ତ ପ୍ରସ୍ତୁତି ଆରମ୍ଭ କଲେଣି ପାଣି ଭାର ନେବା ପାଇଁ । ମହାଦେବଙ୍କ ପାଖରେ ଜଳାଭିଷେକ କରିବା ପାଇଁ ପ୍ରସ୍ତୁତ ହେଲେଣି କାଉଡିଆ । କୁହାଯାଏ ଶ୍ରାବଣରେ ମହାଦେବଙ୍କ ଲିଙ୍ଗରେ ପାଣି ଢାଳିଲେ ଅଶେଷ ପୂଣ୍ୟ ମିଳିଥାଏ, ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି ଶିବଶଙ୍କର ଠାକୁର । ତେଣୁ ସୋମବାରରେ ଭଗବାନ ଶିବଙ୍କଠାରେ ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା କରିଥାଆନ୍ତି ଭକ୍ତ। କୁହାଯାଏ ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇନଥାନ୍ତି ଜଳାଭିଷେକ ଦ୍ୱାରା ତା’ଠୁ ବେଶି ପ୍ରସନ୍ନ ହୋଇଥାଆନ୍ତି ମହାଦେବ।

ଭକ୍ତଙ୍କ ଉପରେ କୃପା କରିଥାଆନ୍ତି ଶିବପାର୍ବତୀ । ସେଥିପାଇଁ ମାନସିକଧାରୀ ମାନେ ଅନାଇ ରହିଥାନ୍ତି ଶ୍ରାବଣ ମାସକୁ । କାଉଡିଆ ସାଜି ପାଣିଭାର କାନ୍ଧେଇ ବିଭିନ୍ନ ଶୈବ ପିଠରେ ପାଣି ଢାଳିବା ପାଇଁ । କାଉଡିଆଙ୍କ ଯାତ୍ରା ସହଜ ନଥାଏ । ଯାତ୍ରା ସମୟରେ ଅନେକ ବାଧାବିଘ୍ନକୁ ସାମ୍ନା କରିଥାନ୍ତି ଭକ୍ତ। ନିଷ୍ଠାର ସହ ରହି, ବ୍ରହ୍ମଚର୍ଯ୍ୟା ନିୟମ ପାଳନ କରି କାଉଡିଆମାନେ ନଦୀରୁ ପାଣି ଉଠାଇ କାନ୍ଧରେ ନେଇ ଚାଲିଥାନ୍ତି । ଖାଲି ପାଦରେ ଏକ ଲୟରେ ପାଣି ଭାର ଧରି ମାଇଲ ମାଇଲ୍‌ ବାଟ ଅତିକ୍ରମ କରିଥାନ୍ତି ଭକ୍ତ । ଖାଲ ଢିପ ନମାନି ତୁଣ୍ଡରେ ବାବା ମହେଶ୍ବରଙ୍କ ନାମ ନେଇ ଆଗକୁ ଆଗ ବଢିଥାନ୍ତି। ହର ହର ମହାଦେବ, ବୋଲବମ୍‌, ଭୋଲେ ବାବା ପାର କରେଗା ଡାକି ଆଗକୁ ଆଗକୁ ଅନ୍ଧାର ରାତିରେ ବଢିଚାଲିଥାନ୍ତି କାଉଡିଆ । ତେବେ ଏହି ପରମ୍ପରା ସାଧାରଣତଃ ଉତ୍ତର ଭାରତରେ ଦେଖିବାକୁ ମିଳିଥାଏ । କାଉଡିଆମାନଙ୍କୁ ଦେଖିଲେ ମନରେ ପ୍ରଶ୍ନ ଆସୁଥିବ ଏହି ପରମ୍ପରା ପ୍ରଥମରେ ଆରମ୍ଭ କିଏ କରିଥିଲେ । ଅର୍ଥାତ୍‌ କାଉଡିଆ ହୋଇ ପାଣି ଭାର ନେବା ଯାତ୍ରାର ପରମ୍ପରା କିଏ ପ୍ରଥମେ କାହାଠାରୁ ଆରମ୍ଭ ହୋଇଥିଲା । ଏହାର ଇତିହାସ କଣ ? ଆସନ୍ତୁ ଜାଣିବା ଏହାର ପଛରେ ଥିବା ପ୍ରମୁଖ ମାନ୍ୟତା କଣ ରହିଛି ?

କାଉଡିଆ ଯାତ୍ରାକୁ ନେଇ ଅନେକ ପୌରାଣିକ ପରମ୍ପରା ରହିଛି । ସେଥିମଧ୍ୟରୁ ଏକ ପୌରାଣିକ ମାନ୍ୟତା ଅନୁସାରେ ସର୍ବ ପ୍ରଥମେ ଭଗବାନ ପର୍ଶୁରାମ ଏହି କାଉଡିଆ ଯାତ୍ରା ଆରମ୍ଭ କରିଥିଲେ । କୁହାଯାଏ ଯେ ସେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ନିକଟସ୍ଥ ମହାଦେବ ମନ୍ଦିରରେ ଜଳ ଅର୍ପଣ କରିବା ପାଇଁ ଗର୍ଭମୁକ୍ତେଶ୍ୱରରୁ ଗଙ୍ଗା ଜଳ ଆଣିଥିଲେ । ସେଥିପାଇଁ ଆଜି ମଧ୍ୟ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ ଏହି ରାସ୍ତାରେ ଚାଲି ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତି। ପୁରାଣରେ ବର୍ଣ୍ଣିତ ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପ କରିଥିଲେ । ଏହା ମଧ୍ୟ ବିଶ୍ବାସ ରହିଛି ଯେ, ଏହି ମାସରେ ମାତା ପାର୍ବତୀ ଓ ଭଗବାନ ଶିବ ଭୂଲୋକରେ ଭ୍ରମଣ କରନ୍ତି। ତେଣୁ ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି। କୁହାଯାଏ ମାହାଦେବ ହେଉଛନ୍ତି କୋପେ ବର ତ ତପେ ବର । ସେ ରାଗି, ସେ ଶାନ୍ତି ଆଉ ସେ ସତ୍ୟ, ଶିବ, ସୁନ୍ଦର । ଭାରି ସରଳ ସେ ଦେବେ ଦେବ ମହାଦେବ । ସେ ମହାଯୋଗୀଙ୍କୁ ପୂଜା କଲେ କୋଟି କୋଟି ଜନ୍ମର ପାପ ନାସ ହୋଇଥାଏ ।

Related Articles

Back to top button