
ବାଳେଶ୍ୱର ୨୩/ଜୁଲାଇ : ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ରାଜ୍ୟପାଳ ଓ ବିଶ୍ବବିଦ୍ୟାଳୟ କୁଳାଧିପତି ଡ଼. ହରିବାବୁ କମ୍ଭମପାଟି ଦ୍ୱାରା ଛଅ ମାସ ପାଇଁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଜୁଲାଇ ୨୧ ତାରିଖରୁ ଲାଗୁ ହେବ ଏବଂ ପ୍ରଫେସର ତ୍ରିପାଠୀ ଆଗାମୀ ଛଅ ମାସ ଯାଏଁ ନିଜ ଦାୟିତ୍ୱ ନିର୍ବାହ କରିବେ। ସୂଚନାଯୋଗ୍ୟ ଯେ, ସେ ୨୦୨୧ ମସିହାରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ। ପ୍ରଫେସର ତ୍ରିପାଠୀ ଏକ ଅନୁଭବୀ ଶିକ୍ଷାବିଦ୍ ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟରେ ବିଭିନ୍ନ ପଦରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି। ସେ ବିଶ୍ବବିଦ୍ୟାଳୟର ପିଏମ୍ଆଇଏର ବିଭାଗର ମୁଖ୍ୟ, ସିନେଟ୍ ଓ ଏକାଡେମିକ କାଉନସିଲ୍ ସଦସ୍ୟ, ରିସର୍ଚ୍ଚ କମିଟି ସଦସ୍ୟ ଓ ସିଡିସିର ନିର୍ଦେଶକ ଭାବରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସିବିସିଏସ୍ (Choice Based Credit System) ପ୍ରଥମେ ଉତ୍କଳ ବିଶ୍ବବିଦ୍ୟାଳୟରେ ତାଙ୍କ ନେତୃତ୍ୱରେ ଲାଗୁ ହୋଇଥିଲା। ସେ ଅନେକ କମିଟି ଓ ଶିକ୍ଷକ ସଂଗଠନର ମୁଖ୍ୟ ଭୂମିକାରେ ଥିବା ସହିତ ଜଣେ ଗବେଷକ ଓ ନିତିନିର୍ଦ୍ଦେଶକ ଭାବେ ମଧ୍ୟ ଦେଶର ବିଭିନ୍ନ ସ୍ଥାନ ଓ ବିଦେଶକୁ ଗସ୍ତ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପ୍ରଫେସର ତ୍ରିପାଠୀଙ୍କ ଦୃଢ଼ ନେତୃତ୍ୱ ଥିଲା। ସିଆଠା (ଯାଜପୁର) ରେ ରୁରାଲ୍ କ୍ୟାମ୍ପସ ଜନ୍ୟ ଜମି ଚିହ୍ନଟ କରିବା, କଲେଜ ଶିକ୍ଷକ ମାନଙ୍କୁ ତାଲିମ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ସଫଳ କରିବା ମଧ୍ୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କ ଲେଖା ଜର୍ଣ୍ଣାଲ୍ଗୁଡ଼ିକ ଜାତୀୟ ଓ ଅନ୍ତର୍ଜାତୀୟ ମାନଙ୍କୁ ସ୍ପର୍ଶ କରିଛି, ଯାହା ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ଗୌରବ ଦେଇଛି।