ଓଡ଼ିଶା

ଜେଇଇ ୨୦୨୫ ରେ ଚମକିଲେ ଓଏଭି ଛାତ୍ରଛାତ୍ରୀ ;ଦେଶର ପ୍ରମୁଖ ଇଞ୍ଜିନିୟରଂ କଲେଜରେ ପାଇଲେ ସିଟ୍

ଭୁବନେଶ୍ବର, ୬ ଅଗଷ୍ଟ ୨୦୨୫: ମିଳିତ ପ୍ରବେଶିକା ପରୀକ୍ଷା (JEE) ୨୦୨୫ ରେ ସଫଳ ପ୍ରଦର୍ଶନ ପରେ ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ସିଟ୍ ପାଇଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ଏବଂ ଆଇକନିକ OAVs ର ଛାତ୍ରଛାତ୍ରୀ । ଚୂଡ଼ାନ୍ତ ସିଟ୍ ଆବଣ୍ଟନ ପରେ ଆଇକନିକ OAV ସମେତ ବିଭିନ୍ନ OAVs ର ମୋଟ ୩୩ ଜଣ ଛାତ୍ରଛାତ୍ରୀଙ୍କୁ IIT, NIT, IIIT ଭୁବନେଶ୍ୱର ଏବଂ ପ୍ରଖ୍ୟାତ ସରକାରୀ ଇଞ୍ଜିନିୟରିଂ କଲେଜରେ ସିଟ୍ ମିଳିଛି । ବିଶେଷ କରି ଓଏଭି, ମଶାଣିମୁଣ୍ଡା ଛାତ୍ର ଚନ୍ଦ୍ର ଶେଖର ହରପାଲ୍ ଆଇଆଇଟି ଧାରୱାଡ୍ (IIT, Dharwad) ରେ ସିଟ୍ ପାଇଥିବା ବେଳେ ଓଏଭି ଝାରଗନ୍ ର ସୁନାରାମ୍ ମାରାଣ୍ଡି ଆଇଆଇଟି ଖଡଗପୁର (IIT, Kharagpur) ରେ ସିଟ୍ ପାଇଛନ୍ତି, ସେହିପରି ଓଏଭି କୋଟପାଡ଼ ଛାତ୍ରୀ ସୀମା ଗୁପ୍ତା ଆଇଆଇଟି ପାଟନା (IIT, Patna) ରେ ସିଟ୍ ପାଇଛନ୍ତି ।

ସେହିପରି ଦେଶର ପ୍ରମୁଖ ଇଞ୍ଜିନିୟରିଂ ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ ଏନଆଇଟି (NIT) ରାଉରକେଲାରେ ୨୦ ଜଣ ବିଦ୍ୟାର୍ଥୀ ସେମାନଙ୍କର ସ୍ଥାନ ହାସଲ କରିଛନ୍ତି । ଏହାବ୍ୟତୀତ, ଚାରି ଜଣ ବିଦ୍ୟାର୍ଥୀ – ଭି. ଲକ୍ଷ୍ମୀ ରାଜୁ, ସୌମ୍ୟ ରଞ୍ଜନ ବେହେରା, ମନମୋହନ ଦାଶ ଏବଂ ପ୍ରଦୀପ ପଣ୍ଡା ଆଇଆଇଆଇଟି (IIIT) ଭୁବନେଶ୍ୱରରେ ପ୍ରବେଶ ପାଇଛନ୍ତି । ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ସାଇନ୍ସ ଠାରୁ ଆରମ୍ଭ କରି ମେକାନିକାଲ୍, ଇଲେକ୍ଟ୍ରିକାଲ୍, ବାୟୋଟେକ୍ନୋଲୋଜି ଏବଂ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ OUTR ଭୁବନେଶ୍ୱର ଏବଂ VSSUT ବୁର୍ଲା ଭଳି ପ୍ରମୁଖ ରାଜ୍ୟସ୍ତରୀୟ ପ୍ରତିଷ୍ଠାନରେ ମଧ୍ୟ ସ୍ଥାନ ପାଇଛନ୍ତି ।

ଛାତ୍ରଛାତ୍ରୀଙ୍କ ନିରନ୍ତର ପ୍ରୟାସ, ଶିକ୍ଷକମାନଙ୍କ ଆପ୍ରାଣ ଉଦ୍ୟମ ସେମାନଙ୍କୁ ସଫଳତାର ଶୀର୍ଷର ପହଞ୍ଚାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି । ତେବେ ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ସଚିବ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କର ଆଗାମୀ ଶୈକ୍ଷିକ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି ।

Related Articles

Back to top button