India's shiny Mercedes cars, Pakistan's garbage trucks: Pakistan Army Chief Asim Munir's statement amid controversy

ଲାହୋର ୧୧/ଅଗଷ୍ଟ : ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ନିଜ ଦେଶକୁ ନେଇ ଆମେରିକା ମାଟିରୁ ଦିଆଯାଇଥିବା ମନ୍ତବ୍ୟ ଏବେ ଆନ୍ତର୍ଜାତିକ ମାନଚିତ୍ରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଭାରତ ସହ ତୁଳନା କରି ସେ କହିଛନ୍ତି, “ଭାରତ ମର୍ସିଡିଜ୍ କାର ହେଲେ, ପାକିସ୍ତାନ ଅଳିଆ ଟ୍ରକ୍, ଯାହା ଇଟା, ପଥର ଓ ଧୁଳିରେ ପୂର୍ଣ୍ଣ।” ଏହି ମନ୍ତବ୍ୟ ପାକିସ୍ତାନର ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାକୁ ନିଜ ମୁଁହରେ ସ୍ୱୀକାର କରିବା ପରି ଲାଗିଛି। ଅସୀମ ମୁନିର ତାଙ୍କ ଆମେରିକା ଗସ୍ତ ସମୟରେ ଭାରତ ବିରୋଧରେ ଯେଉଁପରି ପରମାଣୁ ଧମକ ଦେଇଛନ୍ତି, ତାହା ଗମ୍ଭୀର ଆଶଙ୍କା ଜନ୍ମ ଦେଇଛି। ସେ କହିଛନ୍ତି ଯଦି ପାକିସ୍ତାନ ବଡ଼ ବିପଦ ମୁହଁଦେଖେ, ତେବେ ସେମାନେ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବେ ଓ ଅଧା ଦୁନିଆକୁ ଧ୍ବଂସ କରିଦେବେ। ସିନ୍ଧୁ ନଦୀ ଉପରେ ଭାରତ ଡ୍ୟାମ୍ ନିର୍ମାଣ କଲେ, ସେମାନେ ତାହାକୁ ଉଡାଇ ଦେବେ ବୋଲି ମୁନିର ଚେତାବନୀ ଦେଇଛନ୍ତି। ଭାରତକୁ କିପରି କ୍ଷତି ପହଞ୍ଚାଇପାରିବ ତାହା ବୁଝାଇବା ପାଇଁ ସେ ଏକ ଦୃଷ୍ଟାନ୍ତ ଦେଇ କହିଛନ୍ତି ଯେ, “ଆମେ ଭାରତର ପୂର୍ବ ଦିଗରୁ ଆରମ୍ଭ କରି ତାଙ୍କ ମୂଲ୍ୟବାନ ସମ୍ପଦ ଧ୍ବଂସ କରି ତା’ପରେ ପଶ୍ଚିମ ଦିଗକୁ ଯିବୁ।” ଏହା ଏକ ଦୂର୍ଭାଗ୍ୟଜନକ ମନ୍ତବ୍ୟ ଯେଉଁଥିରେ ସେ ଅଘୋଷିତ ଯୁଦ୍ଧ ଏବଂ ପରମାଣୁ ବିନାଶର ଆଶଙ୍କା କୁ ବଢ଼ାଇ ଦେଇଛନ୍ତି। ଅସୀମ ମୁନିରଙ୍କ ଏହି ବକ୍ତବ୍ୟ ପାଇଁ ଆମେରିକାର ମନୋଭାବ କ’ଣ ହେବ ସେଥିପାଇଁ ଅନେକ ପ୍ରଶ୍ନ ଉଠିଛି, କାରଣ ଏହା ସେଣ୍ଟକମ୍ ଅଧିନସ୍ଥ ଅଫିସରଙ୍କ ବିଦାୟ ସମାରୋହରେ ହୋଇଥିଲା। ଏହିପରି ବିବାଦସ୍ପଦ ମନ୍ତବ୍ୟ ଆନ୍ତର୍ଜାତିକ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିପାରେ। ପାକିସ୍ତାନର ସେନା ମୁଖ୍ୟଙ୍କ ପକ୍ଷରୁ ଏହି ମନ୍ତବ୍ୟ ତାଙ୍କ ନିଜସ୍ୱ ଦେଶ ଓ ଅଞ୍ଚଳୀୟ ଶାନ୍ତି ନୀତିକୁ ଗଭୀର ଚାଲେଞ୍ଜ ଦେଇଛି।