କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ମାକ୍ରୋନ ଓ ତାଙ୍କ ପତ୍ନୀ

ଭୁବନେଶ୍ୱର , ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପତ୍ନୀ ତଥା ଫ୍ରାନ୍ସର ପ୍ରଥମ ମହିଳା ବ୍ରିଗିଟେ ମହିଳା ନୁହଁନ୍ତି । ବ୍ରିଗିଟେ ଜନ୍ମରୁ ପୁରୁଷ ଥିଲେ । ପରେ ନିଜ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍ଥକ ତଥା ଦକ୍ଷିଣପନ୍ଥୀ ରାଜନୈତିକ ସମାଲୋଚକ କାଣ୍ଡେସ ଓୱେନ୍ସ । ତେବେ କଣ ସତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପତ୍ନୀ ମହିଳା ନୁହଁନ୍ତି ? ଏନେଇ ଏବେ ଉଠିଛି ପ୍ରଶ୍ନ ।
ଅନ୍ୟପଟେ ଏଭଳି ଅଭିଯୋଗ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ମାକ୍ରୋନ ଓ ତାଙ୍କ ପତ୍ନୀ । ଏସବୁ ଅଭିଯୋଗକୁ ଭିତ୍ତିହୀନ ଓ ଆପତ୍ତିଜନକ କହିବା ସହ ଓୱେନ୍ସଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି । ଏପରିକି ନିଜକୁ ମହିଳା ବୋଲି ସାବ୍ୟସ୍ତ କରିବାକୁ ଏବେ କୋର୍ଟରେ ପ୍ରମାଣ ଦେବେ ବ୍ରିଗିଟେ ।ବ୍ରିଗିଟେ ଆମେରିକାର ଏକ କୋର୍ଟରେ ନିଜକୁ ମହିଳା ପ୍ରମାଣିତ କରିବାକୁ ଫଟୋଗ୍ରାଫିକ ଓ ସାଇଣ୍ଟିଫିକ୍ ପ୍ରମାଣ ଦେବେ । କୋର୍ଟରେ ନିଜ ଗର୍ଭାବସ୍ଥା ବେଳର ଫଟୋ ଦେଖାଇବେ ।
ତେବେ ୪ ବର୍ଷ ତଳେ ବି ମାକ୍ରୋନଙ୍କ ପତ୍ନୀ ପୁରୁଷ ବୋଲି ଖବର ପ୍ରସାରିତ ହୋଇଥିଲା । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କଠାରୁ ବ୍ରିଗିଟେ ୨୪ ବର୍ଷ ବଡ । ମାକ୍ରୋନଙ୍କୁ ୪୭ ବର୍ଷ ହୋଇଥିବା ବେଳେ ସ୍ତ୍ରୀଙ୍କୁ ୭୨ ବର୍ଷ । ୨୦୦୭ରେ ଦୁହିଁଙ୍କର ବିବାହ ହୋଇଥିଲା ।
ଏକ ରିପୋର୍ଟ ଅନୁସାରେ, ୧୯୯୩ରେ ଫ୍ରାନ୍ସର ଏକ ହାଇସ୍କୁଲରେ ମାକ୍ରୋନ ଓ ବ୍ରିଗିଟଙ୍କ ପ୍ରଥମ ଦେଖା ହୋଇଥିଲା । ସେତେବେଳେ ବ୍ରିଗିଟେ ୩୯ ବର୍ଷର ଥିଲେ । ଆଉ ମାକ୍ରୋନଙ୍କ ବୟସ ଥିଲା ମାତ୍ର ୧୫ ବର୍ଷ । ବ୍ରିଗିଟେ ସ୍କୁଲରେ ପଢାଉଥିବା ବେଳେ ମାକ୍ରୋନ ସେଠି ଛାତ୍ର ଥିଲେ ।