ଶାରଦୀୟ ଦୁର୍ଗାପୂଜା, ମହାପାର୍ବଣ ଆନନ୍ଦ ଉଲ୍ଲାସର ପର୍ବ।

ଭୁବନେଶ୍ୱର,ଦେଶର ପ୍ରତି ପ୍ରାନ୍ତରେ ଗୁଞ୍ଜରିତ ହୁଏ ମାତୃବନ୍ଦନାରେ। କାହିଁ କେଉଁ ପୁରାତନ କାଳରୁ ଭାରତଭୂମିରେ ଶକ୍ତି ଉପାସନାର ପ୍ରଚଳନ ରହି ଆସିଛି। ମାତୃ ଭକ୍ତିରେ ହୃଦୟ ତଲ୍ଲିନ ହୋଇଉଠେ। ପ୍ରାଣରେ ମାତୃ ମହିମାର ଜୟଗାନ ଗୁଞ୍ଜରିତ ହୁଏ। ଏହା ହିଁ ଦେବୀ ଦୁର୍ଗାଙ୍କର ଆଧ୍ୟାତ୍ମିକ ଉପାସନା।
କାଶତଣ୍ଡୀ ଫୁଲର ମଉଚ୍ଛବ ମଧ୍ୟରେ, ନୀଳ ଆକାଶରେ ଧଳାଧଳା ମେଘଙ୍କ ଅପୂର୍ବ ପଟୁଆରରେ ଶୁଭ୍ର ଶରତରେ ଶରତ ସବୁରି ପ୍ରାଣରେ ପୁଲକ ଖେଳାଇ ଆସେ ଶାରଦୀୟ ଦୁର୍ଗାପୂଜା, ମହାପାର୍ବଣ। ଆନନ୍ଦ ଉଲ୍ଲାସର ପର୍ବ।ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିରହିଥିବା ଦେବତା ଓ ଅସୁରଙ୍କ ଯୁଦ୍ଧରେ ବଜୟୀ ହୁଏ ଦାନବ ରାଜ ମହିଷାସୁର । ଅସୁର କବଳକୁ ଆସିଯାଏ ସମଗ୍ର ଦେବଲୋକ। ସମସ୍ତ ଦେବଗଣ ସ୍ୱର୍ଗପୁରରୁ ବିତାଡିତ ହୋଇ ଦେବଦେବ ମହାଦେବ ଏବଂ ତ୍ରାଣକର୍ତ୍ତା ବିଷ୍ଣୁଙ୍କ ନିକଟରେ ଉପଗତ ହୁଅନ୍ତି। ମହିଷାସୁର ଅତ୍ୟାଚାରରୁ କିପରି ବଞ୍ଚିବେ ତା’ର ଉପାୟ ମାଗନ୍ତି। ମହିଷାସୁରର ଏପରି କର୍ମ କଥା ଶୁଣି ଭଗବାନ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧିତ ହୋଇଯାଆନ୍ତି।
ଏହି ସମୟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଶରୀରରୁ ଉଗ୍ର ତେଜ ବାହାରେ। ଇନ୍ଦ୍ର ତଥା ଅନ୍ୟ ଦେବତାମାନଙ୍କ ଶରୀରରୁ ମଧ୍ୟ ବିପୁଳ ତେଜ ରଶ୍ମି ଉଦ୍ରେକ ହୁଏ। ସମସ୍ତ ତେଜ ରଶ୍ମିର ଏକିଭୂତ ସତ୍ତା ହେଉଛନ୍ତି ମହିୟସୀ ଦେବୀ ଜ୍ୟୋତିର୍ମୟୀ ମା’ ଦୁର୍ଗା ତେତିଶକୋଟି ଦେବଗଣଙ୍କୁ ଅଭୟ ଦେବା ପାଇଁ ଆବିର୍ଭୂତା ହେଲେ।