ଐତିହ୍ୟ ଓ ସଂସ୍କୃତିଓଡ଼ିଶାରାଜନୀତି

ବିଧାନସଭା ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ

ଭୁବନେଶ୍ୱର, ୦୩/୧୦/୨୦୨୫: ମହାତ୍ମା ଗାନ୍ଧୀଙ୍କ ନାମ କାନରେ ବାଜିଲେ, ମନ ଓ ହୃଦୟରେ ସତ୍ୟ ଓ ଅହିଂସା ଭାବ ସ୍ୱତଃ ଉଦ୍ରେକ ହୋଇଥାଏ । ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ନିଷ୍ଠାପର ପୂଜାରୀ ଓ ସାଧକ, ଖୁବ୍‌ ଉଚ୍ଚମନା, ଦେଶପ୍ରେମୀ, ସେବକ ଓ ତ୍ୟାଗୀ । ସତ୍ୟ ପ୍ରତି ଆଗ୍ରହ, ସତ୍ୟାଗ୍ରହ ଓ ଅସତ୍ୟ ପ୍ରତି ଉପେକ୍ଷା-ଅସହଯୋଗ ତାଙ୍କର ପ୍ରଚଣ୍ଡ ଆତ୍ମଶକ୍ତିର ଅଭିବ୍ୟକ୍ତି । ରାମ ନାମ ସ୍ମରଣ ଓ ସତ୍ୟ ଏବଂ ଅହିଂସାକୁ ଆନ୍ଦୋଳନର ପ୍ରଧାନ ଅସ୍ତ୍ର ରୂପେ ବ୍ୟବହାର କରି ସେ ଦେଇଥିଲେ ଭାରତକୁ ସ୍ୱାଧୀନତା । ପୃଥିବୀ ପୃଷ୍ଠରେ ଯେତେ ମୁକ୍ତି ସଂଗ୍ରାମ ହୋଇଛି, ସବୁଠି ବ୍ୟବହାର ହୋଇଛି ଖଣ୍ଡା, ବର୍ଚ୍ଛା, ଧନୁ, ବୋମା ଓ ବନ୍ଧ୍‌ୁକ । ସବୁଠି ବହିଛି ରକ୍ତର ନଈ । ମାତ୍ର ଗାନ୍ଧିଜୀ ମୁକ୍ତି ଯୁଦ୍ଧକୁ ଦେଲେ ନୂଆ ପରିଭାଷା । ସେ ପରିଭାଷା ଥିଲା ସତ୍ୟ ଓ ଅହିଂସା, ଯାହାର ଅନ୍ତିମ ଲକ୍ଷ୍ୟ ହେଉଛି ଶାନ୍ତି । ସେହି ଅସ୍ତ୍ର ବଳରେ ସେ ଲଢ଼ିଲେ ଇଂରେଜମାନଙ୍କ ବିରୁଦ୍ଧରେ । ପୃଥିବୀ ଇତିହାସରେ ଲେଖାଗଲା ମୁକ୍ତି ସଂଗ୍ରାମର ନୂଆ କାହାଣୀ ।

ଗାନ୍ଧୀବାଦ ଏକ ବିଶାଳ ବିଚାରଧାରା । ଗାନ୍ଧୀବାଦର ମୂଳମନ୍ତ୍ର ହେଉଛି ସତ୍ୟ ଓ ଅହିଂସା । ଏହା କେବଳ ଏକ ବିଶ୍ୱାସ ନୁହେଁ । ଗାନ୍ଧିଜୀଙ୍କ ପାଇଁ ଏହା ଥିଲା ଜୀବନ ସଂହିତା । ତାଙ୍କ ସମଗ୍ର ଜୀବନକୁ ଧାରଣ କରିଥିବା ଏକ ମହାନ ଆଦର୍ଶ । ଭାରତର ସ୍ୱାଧୀନତା ପାଇଁ ଗାନ୍ଧିଜୀ ଏହି ସତ୍ୟ ଓ ଅହିଂସାର ମାର୍ଗ ବାଛିଥିଲେ । ଗାନ୍ଧିଜୀ ଆଜି କେବଳ ଭାରତର ସମ୍ପଦ ହୋଇ ରହିନାହାନ୍ତି । ବୁଦ୍ଧ ଓ ଯୀଶୁଙ୍କ ଭଳି ସେ ସମଗ୍ର ବିଶ୍ୱ ମାନବ ଜାତିର ଚିର ଅମଳିନ, ଚିର ଭାସ୍ୱର ବ୍ୟକ୍ତିତ୍ୱ ରୂପେ ପୂଜିତ ହେଉଛନ୍ତି । ତାଙ୍କର ତେଜ ଓ ଆଲୋକ ସବୁଦିନ ପାଇଁ ବିଚ୍ଛୁରିତ ହେଉଥିବ, ଏଥିରେ ସନ୍ଦେହ ନାହିଁ ।
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଅରବିନ୍ଦ ଢାଲି ଓ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବା ସହ ବାପୁଜୀଙ୍କ ପି୍ରୟ ଆଶ୍ରମ ଭଜନ ଓ ରାମଧୂନ ପରିବେଷିତ ହୋଇଥିଲା । ଏଥିରେ ବହୁ ଗାନ୍ଧୀପ୍ରେମୀ ଯୋଗଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ଉପରେ ଆଧାରିତ ‘ଗାନ୍ଧୀଜୀ ଓ ଓଡ଼ିଶା’ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ ପରିଚାଳନା କରିଥିଲେ ।

Related Articles

Back to top button