ଓଡ଼ିଶା

ଆଜି ମୂଲ୍ୟାୟନ ପାଇଁ ଯିବ ସମେଟିଭ୍‌-୧ ଓଏମ୍‌ଆର ସିଟ୍‌

କଟକ () ଆଜିଠୁ ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମେଟିଭ୍‌ ଆସେସ୍‌ମେଣ୍ଟ ଟେଷ୍ଟ-୧ର ଓଏମ୍‌ଆର୍‌ ସିଟ୍‌ ମୂଲ୍ୟାୟନପାଇଁ ଯିବ । ଗତ ୭ ତାରିଖରେ ପରୀକ୍ଷା ଶେଷ ହୋଇଥିବାବେଳେ ୯ରୁ ଓଏମ୍‌ଆର୍‌ ସିଟ୍‌ଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ କାର୍ଯ୍ୟାଳୟକୁ ଆସିଥିଲା । ଆନୁଷଙ୍ଗିକ କାମ ଶେଷ ପରେ ସୋମବାରଠାରୁ ଏହାକୁ କମ୍ପ୍ୟୁଟର ମୂଲ୍ୟାୟନ ପାଇଁ ନିର୍ଦ୍ଦିଷ୍ଟ ଫାର୍ମକୁ ପଠାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବୋର୍ଡ ସୂତ୍ରରୁ ମିଳିଥିବା ସୂଚନାରେ, ପ୍ରଚଳିତ ନୂଆ ମାଟ୍ରିକ୍‌ ପରୀକ୍ଷା ବ୍ୟବସ୍ଥା ଆଧାରରେ ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫର୍ମେଟିଭ୍‌-୧ ଏବଂ ଫର୍ମେଟିଭ୍‌-୨ ପରୀକ୍ଷା ଦେଇସାରିଛନ୍ତି । ନିଜ ବିଦ୍ୟାଳୟର ଶିକ୍ଷକମାନେ ଖାତା ମୂଲ୍ୟାୟନ କରିଥିଲେ । ପରେ ସେସବୁ କାଗଜପତ୍ର ବ୍ଲକ୍‌ସ୍ତରରେ ହୋଇଥିବା ମେଣ୍ଟର ସ୍କୁଲ୍‌ଗୁଡ଼ିକୁ ପଠାଯାଇଥିଲା । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ବୋର୍ଡ ପକ୍ଷରୁ ଅନ୍‌ଲାଇନ୍‌ରେ ମାର୍କ ଅପଲୋଡ୍‌ କରିବା ପାଇଁ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ମେଣ୍ଟର ସ୍କୁଲ୍‌ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି ।

ମେଣ୍ଟର ସ୍କୁଲ୍‌ଗୁଡ଼ିକ ପରୀକ୍ଷାର୍ଥୀମାନଙ୍କର ଫର୍ମେଟିଭ୍‌-୧ ଏବଂ ଫର୍ମେଟିଭ୍‌-୨ ନମ୍ବରଗୁଡ଼ିକୁ ଆସନ୍ତା ୨୧ ତାରିଖରୁ ୨୮ ତାରିଖ ସୁଦ୍ଧା ସକାଳ ୮ଟାରୁ ୫ ଟା ମଧ୍ୟରେ ବୋର୍ଡ ଦ୍ୱାରା ଜାରି ହୋଇଥିବା ୱେବସାଇଟ୍‌ରେ ଅପଲୋଡ୍‌ କରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି । ଅନ୍ୟପକ୍ଷରେ ନିକଟରେ ସମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଶେଷ ହୋଇଥିଲାବେଳେ ଏହାର ମୂଲ୍ୟାୟନ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ । ଫାର୍ମକୁ ଓଏମ୍‌ଆର୍‌ ସିଟ୍‌ ଯିବ ଓ ପରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଓଏମ୍‌ଆର୍‌ ସିଟ୍‌ ମୂଲ୍ୟାୟନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com