
ବିଏମ୍ ସି ଅଂଚଳରେ ଅଛନ୍ତି 47126 ବୁଲା କୁକୁର
• ବିସ୍ତୃତ ସର୍ବେକ୍ଷେଣ ଜରିଆରେ ବୁଲା କୁକୁର ଗଣନା ଭାରତରେ ପ୍ରଥମ
• ଜାତୀୟ ହାର ତୁଳନାରେ ବିଏମ୍ ସି ଅଂଚଳରେ ବୁଲା କୁକୁରଙ୍କ ହାର ଅଧିକ
ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍ ସି ପକ୍ଷରୁ କରାଯାଇଛି ବୁଲା କୁକୁର ଗଣନା । ସେପ୍ଟେମ୍ବର 18ରୁ 25 ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ 18ରୁ 21 ତାରିଖ ଏବଂ 22ରୁ 25 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ବୁଲା କୁକୁର ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଏମ୍ ସି ଅଂଚଳରେ ଥିବା 67ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ଭୋର 5ଟାରୁ ସକାଳ 7ଟା ମଧ୍ୟରେ କରାଯାଇଥିଲା । ଏଥିପାଇଁ ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟ୍ ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ 410ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମରେ ଦୁଇ ଜଣ ଲେଖାଏଁ କର୍ମୀ ରହିଥିଲେ । ବୁଲା କୁକୁର ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ ମଧ୍ୟ ଦିଆଯାଇଥିଲା ।
ସଂପ୍ରତି ଭୁବନେଶ୍ୱର ମହାଗନର ନିଗମ ଅଂଚଳରେ ମୋଟ 47 ହଜାର 126ଟି ବୁଲା କୁକୁର ରହିଛନ୍ତି । ସେମାନଙ୍କ ମଧ୍ୟରୁ 23 ହଜାର 47ଟି ଅଣ୍ଡିରା କୁକୁର ରହିଥିବା ବେଳେ 15 ହାଜର 552ଟି ମାଈ କୁକୁର ଏବଂ 1 ହଜାର 124ଟି ଛୁଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ 4 ହାଜର 68ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ 3 ହଜାର 335ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି ।
ସଂପ୍ରତି ଭୁବନେଶ୍ୱରର ସ୍ଥାୟୀ ଜନ ସଂଖ୍ୟା ପ୍ରାୟ 13 ଲକ୍ଷ ରହିଛି । ଜନ ସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା 3.62 ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ଓ୍ୱାର୍ଡରେ ବୁଲା କୁକୁର ସଂଖ୍ୟା ହାରାହାରି 703 ରହିଛି । ସର୍ବାଧିକ ବୁଲା କୁକୁର ଥିବା 10ଗୋଟି ଓ୍ୱାର୍ଡ ହେଲା, 23, 7, 49, 65, 4, 9, 5, 56, 43, ଓ 6 । 23 ନମ୍ବର ଓ୍ୱାର୍ଡରେ 1703 ଥିବା ବେଳେ 6 ନମ୍ବର ଓ୍ୱାର୍ଡରେ 1062 ବୁଲା କୁକୁର ରହିଛନ୍ତି ।
ଭାରତ ସରକାରଙ୍କ ପଶୁ ସଂପଦ ଓ ଡାଏରୀ ବିଭାଗ ଦ୍ୱାରା ଅନୁଷ୍ଠିତ 20 ତମ ଜାତୀୟ ଓ ରାଜ୍ୟ ପଶୁ ଗଣନା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଜାତୀୟ ହାରଠାରୁ ବୁଲା କୁକୁର ସଂଖ୍ୟା ବହୁ ଗୁଣରେ ଅଧିକ ରହିଛି । ଜାତୀୟ ହାର ପ୍ରତି 1 ହଜାରେ ଜନ ସଂଖ୍ୟାରେ 11 ଥିବା ବେଳେ ଭୁବନେଶ୍ୱରରେ ପ୍ରତି ହଜାର ଜନ ସଂଖ୍ୟାରେ ହାରାହାରି 36ଟି ବୁଲା କୁକୁର ରହିଛନ୍ତି । ତେବେ ରାଜ୍ୟରେ ପ୍ରତି ହଜାରେ ଜନ ସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା 39 ରହିଛି ।
ବିଏମ୍ ଅଂଚଳରେ ବୁଲା କୁକୁର ଗଣନା ହେଉଛି ରାଜ୍ୟର ପ୍ରଥମ ଘଟଣା । ଏହାକୁ ସଠିକ୍ ଓ ନିର୍ଭୁଲ ଭାବେ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି । ବୈଷୟିକ ଜ୍ଞାନ କୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ହୋଇଥିବା ଏହି ବୁଲା କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ।
• ବୁଲା-କୁକୁର ଓ ମନୁଷ୍ୟଙ୍କ ମଧ୍ୟରେ ହେଉଥିବା ଲଢେଇକୁ ହ୍ରାସ କରିବା ।
• ବୁଲା କୁକୁରଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଉନ୍ନତି ଆଣିବା ।
• କୁକୁର ବନ୍ଧ୍ୟାକରଣ ପାଇଁ ଏକ ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
• କୁକୁର କାମୁଡା ହ୍ରାସ କରିବା ।
• ରାବିସ୍ ପରି ବିଭିନ୍ନ ମାରାତ୍ମକ ରୋଗ ସଂକ୍ରମଣରୁ ଜନ ସାଧାରଣ ଏବଂ କୁକୁରମାନଙ୍କୁ ରକ୍ଷା କରିବା ।
• କୁକୁରଙ୍କ ଯୋଗୁ ଅନେକ ସମୟରେ ହେଉଥିବା ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ହ୍ରାସ କରିବା ।
• ବିଏମ୍ ସି ଅଂଚଳରେ କୁକୁରଙ୍କ ସାନ୍ଦ୍ରତା ସଂପର୍କରେ ଜାଣିବା ।
ଏହି କୁକୁର ଗଣନାର ବିଷେଶ୍ୱତ ହେଉଛି ଯେ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିସ୍ତୃତ ସର୍ବେକ୍ଷେଣ ପଦ୍ଧତିରେ କୁକୁର ଗଣନା କରାଯାଇଛି । ପୂର୍ବରୁ ହାତ ଗଣତି ଯେଉଁ କେତୋଟି ରାଜ୍ୟ କୁକୁର ଗଣନା କରିଥିଲେ, ସେମାନେ ନମୁନା ସର୍ବେକ୍ଷଣ ପଦ୍ଧତିରେ କରିଥିଲେ । ଅର୍ଥାତ୍, ସେମାନେ ନିର୍ଦ୍ଧିଷ୍ଟ ଏକ ଅଂଚଳରେ କୁକୁର ଗଣନା କରି, ଆନୁପାତିକ ହାରରେ ହିସାବ କରିଥାନ୍ତି ।
ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି କାର୍ଯ୍ୟରେ ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ସଂପୂର୍ଣ୍ଣ ସହଯୋଗ କରିବା ସହ, ନିଜ ଘର କିମ୍ବା ଆଖପାଖ, ଆପାର୍ଟମେଣ୍ଟ, ସରକାରୀ ଅନୁଷ୍ଠାନ, ଡାକ୍ତର ଖାନା, ରେସିଡେନସିଆଲ ଜୋନ୍, ବଜାର ଓ ଖାଦ୍ୟ ଦୋକାନ ଆଦି ଅଂଚଳରେ ରହୁଥିବା କୁକୁରଙ୍କର ସଂଖ୍ୟା, ବିଏମ୍ ସି କର୍ମଚାରୀଙ୍କୁ ପ୍ରଦାନ କରିଥିବାରୁ ବିଏମ୍ ସି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।