ଭାରତ ତୈଳ ଏବଂ ଗ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଆମଦାନୀକାରୀ।

ଭୁବନେଶ୍ୱର,ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ” ଭାରତ ତୈଳ ଏବଂ ଗ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଆମଦାନୀକାରୀ। ଯେକୌଣସି ପରିସ୍ଥିତିରେ ବି ଭାରତୀୟଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଆମର ପ୍ରାଥମିକତା। ଆମର ଆମଦାନୀ ନୀତି ସମ୍ପୂର୍ଣ୍ଣ ଭାବରେ ଏହା ଉପରେ ଆଧାରିତ ।
ସ୍ଥିର ଶକ୍ତି ମୂଲ୍ୟ ଏବଂ ସୁରକ୍ଷିତ ଯୋଗାଣ ସୁନିଶ୍ଚିତ କରିବା ହେଉଛି ଆମର ଶକ୍ତି ନୀତିର ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ। ଏହାକୁ ହାସଲ କରିବା ପାଇଁ, ଆମେ ଆମର ଶକ୍ତି ଉତ୍ସଗୁଡ଼ିକୁ ବିସ୍ତାର କରୁଛୁ ଏବଂ ବଜାରର ଆବଶ୍ୟକତା ଅନୁଯାୟୀ ଅନେକ ପରିବର୍ତ୍ତନ କରୁଛୁ।”ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏନେଇ ଆଶ୍ୱାସନା ଦେଇଛନ୍ତି।
ଟ୍ରମ୍ପଙ୍କ ଏହି ବୟାନ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏନେଇ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଭାରତ ଏହାର ନାଗରିକଙ୍କ ସର୍ବୋତ୍ତମ ସ୍ୱାର୍ଥକୁ ଧ୍ୟାନରେ ରଖି ତେଲ ଏବଂ ଗ୍ୟାସ ଆମଦାନୀ କରେ।
ତେବେ, ସେ ଟ୍ରମ୍ପଙ୍କ ଦାବିକୁ ସିଧାସଳଖ ଖଣ୍ଡନ କରି ନାହାଁନ୍ତି।ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ବନ୍ଧୁ। ଆମର ବହୁତ ଭଲ ସମ୍ପର୍କ ଅଛି। ଭାରତ ରୁଷଠାରୁ ତେଲ କିଣିବୋଲି ମୁଁ ପସନ୍ଦ କରୁ ନଥିଲି। ତଥାପି, ଆଜି ସେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ। ଏହା ଏକ ବଡ଼ ପଦକ୍ଷେପ।” ଆମକୁ ଚୀନକୁ ସାମ୍ନା କରିବାକୁ ପ୍ରସ୍ତୁତି କରିବାକୁ ପଡିବ।”