ଜାତୀୟରାଜନୀତି

ଗୁଜରାଟରେ ବିଜେପି ସରକାରର ମନ୍ତ୍ରିମଣ୍ଡଳ ପୁନର୍ଗଠନ: ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ୨୫ ମନ୍ତ୍ରୀ ଶପଥ ଗ୍ରହଣ କଲେ

 

ଗାନ୍ଧିନଗର, ଅକ୍ଟୋବର ୧୮: ଗୁଜରାଟରେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହୋଇଛି। ବିଜେପି ସରକାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିଛି। ଏହି ପୁନର୍ଗଠନ ଅନୁସାରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ୨୫ ଜଣ ମନ୍ତ୍ରୀଙ୍କୁ ଗାନ୍ଧିନଗର ରାଜଭବନରେ ଶପଥ ପାଠ କରାଇଛନ୍ତି। ଏହି ସହ ମନ୍ତ୍ରିମଣ୍ଡଳର ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ୨୬ ହୋଇଛି।

ପୁନର୍ଗଠିତ ମନ୍ତ୍ରିମଣ୍ଡଳରେ ୧୯ ଜଣ ନୂଆ ମୁହଁକୁ ସ୍ଥାନ ମିଳିଛି, ଯେଉଁଥିରେ ଜାମନଗର ଉତ୍ତରର ବିଧାୟିକା ରିଭାବା ଜାଡେଜା ମଧ୍ୟ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ ଭାବେ, ସେ ପ୍ରସିଦ୍ଧ କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଓ ବିଜେପିର ଯୁବ ମୁହଁ ଭାବରେ ପରିଚିତ। ରିଭାବା ଜାଡେଜା ୨୦୧୬ରେ ବିବାହ କରିଥିଲେ ଏବଂ ସୁକନ୍ୟା ସମୃଦ୍ଧି ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ପାଇଥିଲେ।

ଏହି ପୁନର୍ଗଠନରେ ଯୁବ ନେତୃତ୍ୱ, ମହିଳା ପ୍ରତିନିଧିତ୍ୱ ଓ ଆଞ୍ଚଳିକ ସନ୍ତୁଳନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯୁବ ନେତା ହର୍ଷ ସଂଘ୍‌ଭୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ଗୃହମନ୍ତ୍ରୀ ଥିଲେ, ବର୍ତ୍ତମାନ ସେ ଗୃହ ବିଭାଗ ସହ ଆଇନ ଓ ନ୍ୟାୟ ବିଭାଗ ଦାୟିତ୍ୱ ଦେଖିବେ। ୨୦୨୨ ରେ ସେ ଆମ୍ ଆପ୍ ପ୍ରାର୍ଥୀଙ୍କୁ ୧ ଲକ୍ଷ ଭୋଟରେ ହରାଇ ବିଜୟୀ ହୋଇଥିଲେ।

ପୁନର୍ଗଠନ ପୂର୍ବରୁ ୧୬ ଜଣ ପୁରୁଣା ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ତଥାପି ତାଙ୍କ ମଧ୍ୟରୁ ୬ ଜଣ – ଋଷିକେଶ ପଟେଲ, କାନୁଭାଇ ଦେଶାଇ, କୁଅଁରଜୀ ବାବାଲିଆ, ପ୍ରଫୁଲ୍ଲ ପାନସେରିଆ, ପୁରୁଷୋତ୍ତମ ସୋଲାଙ୍କି ଓ ହର୍ଷ ସଂଘ୍‌ଭୀ – ଆଉଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ଏହି ନୂଆ ମନ୍ତ୍ରିମଣ୍ଡଳରେ ସାମାଜିକ ସନ୍ତୁଳନ ରଖାଯାଇଛି। ମୋଟ ୮ ଜଣ ଓବିସି, ୬ ଜଣ ପଟିଦାର, ୪ ଜଣ ଆଦିବାସୀ ଓ ୩ ଜଣ ଅନୁସୂଚିତ ଜାତିରୁ ମନ୍ତ୍ରୀ ଚୟନ ହୋଇଛନ୍ତି।

ସଂପ୍ରସାରଣ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଛାଡି ବାକି ୨୪ ମନ୍ତ୍ରୀମାନଙ୍କ ମଧ୍ୟରୁ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୩ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଓ ୧୩ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।

୨୦୨୭ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ସହ ଅନେକ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

 


Related Articles

Back to top button