ଓଡ଼ିଶାମୌସୁମୀ

୨୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ଚାଷୀଙ୍କୁ ସଚେତନ ରହିବାକୁ ପରାମର୍ଶ

 

ଭୁବନେଶ୍ୱର, ୨୩ ଅକ୍ଟୋବର : ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜଣାଇଛି ଯେ, ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ଜାରି ରହିବ।

ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ଅପେକ୍ଷା କରାଯାଉଛି। ତଥାପି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ସମ୍ଭାବନା ନାହିଁ।

ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସକ୍ରିୟ ରହିଥିବା ଦ୍ୱାରା କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବା ଓ ଉପକୂଳ ଅଞ୍ଚଳରେ ବଜ୍ରପାତ ଘଟିପାରିବ ବୋଲି ପୂର୍ବାନୁମାନ ରହିଛି।

କୃଷି ସଚିବ ଡା. ଅରବିନ୍ଦ କୁମାର ପାଢ଼ୀ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ପାଣିପାଗ ବିଭାଗର ପରାମର୍ଶ ଅନୁସରଣ କରନ୍ତୁ ଏବଂ ଅପବାଦ ଖବର ଶୁଣି ଭୟଭୀତ ନ ହେଉନ୍ତୁ।

ଚଳିତ ଖରିଫ ଋତୁ (ଜୁନ୍ ୧ ରୁ ସେପ୍ଟେମ୍ବର ୩୦) ମଧ୍ୟରେ ରାଜ୍ୟରେ ସାଧାରଣ ଭାବରେ ୧୦୦ ପ୍ରତିଶତ ବର୍ଷା ହୋଇଥିବାରୁ ଭଲ ଫସଲ ଅମଳ ହେବା ଆଶା କରାଯାଉଛି।

ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଆବଶ୍ୟକ ସମୟରେ ସେମାନେ ୧୫୫୩୩୩ ନମ୍ବରରେ କିମ୍ବା ନିକଟସ୍ଥ ଆଞ୍ଚଳିକ କୃଷି କେନ୍ଦ୍ର ଓ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। ଏହି ସମ୍ବନ୍ଧରେ ଆୟୋଜିତ ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

Related Articles

Back to top button