ଓଡ଼ିଶା

ମାର୍ଚ୍ଚରୁ ୧୨-୧୪ ବର୍ଷ ବର୍ଗର ପିଲାଙ୍କୁ କରୋନା ଟିକା!

ନୂଆଦିଲ୍ଲୀ()  ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁ ଥିବା ବେଳେ ଦେଶବାସୀଙ୍କ ପାଇଁ ଭଲ ଖବର ଆସିଛି। ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ୧୨ରୁ ୧୪ ବର୍ଷ ବର୍ଗ ମଧ୍ୟରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ ବୋଲି National Technical Advisory Group on Immunisationର କୋଭିଡ ୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡା ଏନକେ ଅରୋରା ସୂଚନା ଦେଇଛନ୍ତି।

ବର୍ତ୍ତମାନ ଦେଶରେ ୧୫ ଓ ତା’ରୁ ଅଧିକ ବୟସ୍କଙ୍କ ଟିକାକରଣ ହେଉଛି।

ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ କରାଯାଉଛି। ଏବେ ସୁଦ୍ଧା ୩ କୋଟିରୁ ଅଧିକ ପିଲା କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ତେଣୁ ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି।

ଡା ଅରୋରା କହିଛନ୍ତି, “ଜାନୁଆରୀ ଶେଷ ସୁଦ୍ଧା ଆମେ ୧୫ରୁ ୧୭ ବର୍ଷ ବୟସ ମଧ୍ୟରେ ଥିବା ୭.୪ କୋଟି ପିଲାଙ୍କୁ ଅତିକମରେ ପ୍ରଥମ ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖିଛୁ। ଫଳରେ ଫେବୃଆରୀରୁ ସେମାନଙ୍କର ଦ୍ୱିତୀୟ ଡୋଜ୍‌ ଟିକାକରଣ ଆରମ୍ଭ ହୋଇପାରିବ। ଏହି ପ୍ରକ୍ରିୟା ଫେବୃଆରୀ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ବର୍ଗରେ ଥିବା ପିଲାଙ୍କ ଟିକାକରଣ ଆରମ୍ଭ ହେବ। ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୧୫ରୁ ୧୭ ବର୍ଷ ବର୍ଗରେ ଥିବା ପିଲାଙ୍କୁ ଟିକା ଦିଆଯାଉଛି। ଏହାପରେ ସରକାର ୧୨ରୁ ୧୪ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ଆରମ୍ଭ କରିବେ।”

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ୧୫ରୁ ୧୭ ବର୍ଷ ବର୍ଗଙ୍କୁ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ଦିଆଯାଉଛି। ଏଯାଏ ୩.୩୧ କୋଟି ଛୋଟ ପିଲା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଲେଣି। ୧୨ରୁ ୧୪ ବର୍ଷର ବର୍ଗଙ୍କୁ ମଧ୍ୟ ସମାନ ଟିକା ଦିଆଯାଇ ପାରେ। କାରଣ ଅକ୍ଟୋବର ମାସରେ ସବଜେକ୍ଟ ଏକ୍ସପର୍ଟ କମିଟି କୋଭାକ୍ସିନକୁ ୨ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କୁ ଦେବାକୁ ସୁପାରିସ କରିଛି। ଏହାକୁ ଆଧାର କରି ଭାରତ ସରକାର କୋଭାକ୍ସିନକୁ ହିଁ ବ୍ୟବହାର ପାଇଁ ଅନୁମତି ଦେଇ ପାରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com