ଓଡ଼ିଶା

ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ, ୨୬ରେ ଜଳକ୍ରୀଡ଼ା କରିବେ ଚଳନ୍ତି ପ୍ରତିମା: ଶୀତଳଷଷ୍ଠୀ ସୁଦ୍ଧା ସରିବ ଚକ ଓ ଅଖ ନିର୍ମାଣ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଯାଏଁ ଚାଲିବ । ଆସନ୍ତା ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ଅର୍ଥାତ୍ ୨୬ରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ । ଏହି ୨୧ ଦିନ ମହାପ୍ରଭୁଙ୍କର ଚନ୍ଦନ ଓ ଆଲଟ ଲାଗି କରାଯିବ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯାଇଛି । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଶଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ତପରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

ସେପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗତ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ଡେରାଯିବା ପରେ ଏବେ ଭୂଇଁ, ମୁହାଁଟି ଓ ନିରାଡି କାର୍ଯ୍ୟ ଜାରି ରହିଛି । ଆସନ୍ତା ଶୀତଳଷଷ୍ଠୀ ସୁଦ୍ଧା ତିନିରଥର ସମସ୍ତ ୪୨ ଟି ଚକ ସହ ୨୧ ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହାର ସଂଯୋଗ କରାଯାଇ ଡ଼େରାଯିବାର ବିଧି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com