ଜାତୀୟଦୁର୍ଘଟଣା

ରାସ୍ତାର ବାଲି ସାଜିଲା କାଳ

ପୁରୀ,୦୭/୦୧/୨୦୨୬ : ଗତକାଲି ରାଜ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଟି ମୂଲ୍ୟବାନ ଜୀବନ ଛଡ଼ାଇ ନେଇଥିଲା। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ମଙ୍ଗଳପୁର ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ ମହିଳା ସାମ୍ବାଦିକା ଜଣକ ଥିଲେ ଶୀଲା ପଟ୍ଟନାୟକ, ଯିଏ ଭୁବନେଶ୍ୱରର ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, ଶୀଲା ନିଜ ସ୍କୁଟି ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ମଙ୍ଗଳପୁର ଛକ ନିକଟରେ ରାସ୍ତା ମଝିରେ ବାଲି ଗଦା ହୋଇ ରହିଥିବାରୁ ତାଙ୍କ ସ୍କୁଟିର ଚକ ସ୍ଲିପ୍ କରିଥିଲା। ଫଳରେ ସେ ରାସ୍ତା ଉପରେ ପଡ଼ିଯାଇଥିଲେ। ଠିକ୍ ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ‘ସାରଳା’ ନାମକ ଏକ ଘରୋଇ ବସ୍ ସ୍କୁଟିକୁ ଶକ୍ତ ଧକ୍କା ଦେବା ସହ ଶୀଲାଙ୍କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ବାଟରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଘଟଣା ଜଣାପଡ଼ିବା ପରେ ସାମ୍ବାଦିକ ଜଗତ ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକା ଶୀଲାଙ୍କ ଅକାଳ ବିୟୋଗକୁ ନେଇ ବରିଷ୍ଠ ନେତ୍ରୀ ସୁଲତା ଦେଓ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଶାସନ ଉପରେ ବର୍ଷିଛନ୍ତି। ରାଜପଥରେ ବାଲି ଗଦା ହୋଇ ରହିବା ପ୍ରଶାସନର ବଡ଼ ଅବହେଳା ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଅନେକ ମନ୍ତ୍ରୀ ଓ ବରିଷ୍ଠ ନେତା ମଧ୍ୟ ଶୀଲାଙ୍କ ବିୟୋଗରେ ସମବେଦନା ଜଣାଇଛନ୍ତି। ଜଣେ କର୍ତ୍ତବ୍ୟନିଷ୍ଠ ଓ ହସକୁରୁଳି ମହିଳା ସାମ୍ବାଦିକାଙ୍କୁ ହରାଇ ଭୁବନେଶ୍ୱର ଓ ପୁରୀର ସମସ୍ତ ସାମ୍ବାଦିକ ବନ୍ଧୁମାନେ ସ୍ତବ୍ଧ ହୋଇଯାଇଛନ୍ତି।

Related Articles

Back to top button