
ଭୁବନେଶ୍ୱର , ଚାଷୀଙ୍କ ଧାନବିକ୍ରି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଚାଷୀମାନେ ଆଦୌ ହତୋତ୍ସାହିତ ହୁଅନ୍ତୁ ନାହିଁ।ସମସ୍ତଙ୍କ ଧାନ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ଏବଂ ସମାଜର ପ୍ରତିଟି ବର୍ଗର ସଶକ୍ତୀକରଣ ହିଁ ଲୋକଙ୍କ ସରକାରର ମୂଳ ଅଭିପ୍ରାୟ। ଆଜିର ଏହି ବ୍ୟାପକ ଭିତ୍ତିଭୂମି ପ୍ରକଳ୍ପ କଳାହାଣ୍ଡିର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ପ୍ରଗତିକୁ ଏକ ନୂତନ ଶିଖର ପ୍ରଦାନ କରିବ। ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରି କଳାହାଣ୍ଡିକୁ ଓଡ଼ିଶାର ପ୍ରଗତି ପଥରେ ଏକ ଅଗ୍ରଣୀ ସାରଥୀ ଭାବେ ଗଢ଼ିତୋଳିବା ଲାଗି ସେ ଆଶୀର୍ବାଦ ଭିକ୍ଷା କରିଥିଲେ। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିଟି ପ୍ରୟାସ ଲୋକଙ୍କ ସେବାରେ ସମର୍ପିତ ହେବ ବୋଲି ସେ କହିଛନ୍ତି।ରାଜ୍ୟର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସେହି ସଙ୍କଳ୍ପକୁ ସୁଦୃଢ଼ କରି କଳାହାଣ୍ଡି ଜିଲାରେ ରବିବାର ପ୍ରାୟ ୮୯୧.୩୯ କୋଟି ଟଙ୍କାର ୩,୬୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିମଧ୍ୟରୁ ପ୍ରାୟ ୧୯୩ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ୯୭୧ଟି ପ୍ରକଳ୍ପକୁ ଲୋକାର୍ପଣ କରାଯିବା ସହ ପ୍ରାୟ ୬୯୮ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ୨, ୬୪୧ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏଥିରେ ରାହୁଲ, ଉତେଇ ଜଳସେଚନ ପ୍ରକଳ୍ପ ଓ ବେଲଗାଁଠାରେ ତେଲ ନଦୀରେ ବନ୍ଧ ନିର୍ମାଣ କରାଯିବ। ରବିବାର ଜିଲାର ସାଂସ୍କୃତିକ ମହାକୁମ୍ଭ ଘୁମୁରା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ କଳାହାଣ୍ଡିର କଳା, ସଂସ୍କୃତି ଓ ପରମ୍ପରାକୁ ଅତି ନିକଟରୁ ଦେଖିବାର ଅବସର ମିଳିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।




