
ଭୁବନେଶ୍ୱର ,୫ ଦିନ କାର୍ଯ୍ୟ ଦିବସ ଦାବିରେ ଆଜି ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଟିଟିଲାଗଡ଼ରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ତାଲା ପଡ଼ିଛି। ରବିବାର ଛୁଟି ପରେ ଆଜି ସୋମବାର ବ୍ୟାଙ୍କ ବନ୍ଦ ରହିବାରୁ ଟଙ୍କା କାରବାର ଓ ଅନ୍ୟାନ୍ୟ କାମ ପାଇଁ ଆସିଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ଗତକାଲି ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ଥିଲା। ଆଜି ସପ୍ତାହର ପ୍ରଥମ ଦିନରେ ବ୍ୟାଙ୍କ ଖୋଲିବ ବୋଲି ଆଶା ରଖି ଆସିଥିବା ଗ୍ରାହକମାନେ ଫେରିଯାଇଥିଲେ।AOGBO ଜିଲ୍ଲା ସମ୍ପାଦକ ଜ୍ୟୋତିରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ, ବହୁ ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀ ଟିଟିଲାଗଡ଼ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୦୧୪ ମସିହାରୁ ସେମାନେ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ ପାଇଁ ଦାବି କରିଆସୁଛନ୍ତି। LIC, EPFO, NABARD, RBI ଏବଂ SEBI ଭଳି ଆର୍ଥିକ ପ୍ରତିଷ୍ଠାନରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ଏହା କାହିଁକି ହେଉନାହିଁ ବୋଲି କର୍ମଚାରୀ ସଙ୍ଘ ପ୍ରଶ୍ନ କରିଛି।ଶ୍ରୀ ପଣ୍ଡାଙ୍କ କହିବା ଅନୁଯାୟୀ, ୨୦୨୩ ମସିହାରେ କେନ୍ଦ୍ର ସରକାର, ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ IBA ଏବଂ DFS ମଧ୍ୟରେ ଏହି ବିଷୟରେ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି। ଏହା ସତ୍ତ୍ୱେ ,ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବ୍ୟବସ୍ଥା ଲାଗୁ ହୋଇନାହିଁ। ଯଦି ଆଗାମୀ ଦିନରେ ସରକାର ଏହି ଦାବି ପୂରଣ ନକରନ୍ତି, ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।




