
ଲକ୍ଷ୍ନୌ,୧୦/୦୨/୨୦୨୬: ଉତ୍ତର ପ୍ରଦେଶର ମଥୁରା ଜିଲାରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଜିଲାର ମହାବନ ଥାନା ଅନ୍ତର୍ଗତ ଖପ୍ପରପୁର ଗାଁରେ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ତିନି ସନ୍ତାନ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ପରିବାରର ସମସ୍ତ ସଦସ୍ୟ ବିଷ ମିଶ୍ରିତ କ୍ଷୀର ପିଇ ଦେଇଥିଲେ। ମଙ୍ଗଳବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ ସେମାନଙ୍କ ଘରର କବାଟ ନ ଖୋଲିବାରୁ ପଡ଼ୋଶୀମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ପରିବାରର ସମସ୍ତେ ମୃତ ଅବସ୍ଥାରେ ଥିବା ଜଣାପଡ଼ିବା ପରେ ପୋଲିସକୁ ଖବର ଦିଆଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ପଚରାଉଚରା କରିଛି। ମୃତଦେହଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ପରିବାରଟି କେଉଁ ପରିସ୍ଥିତିରେ ପଡ଼ି ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କଲା, ସେନେଇ ପୋଲିସ ଗମ୍ଭୀରତାର ସହ ଖୋଳତାଡ଼ ଜାରି ରଖିଛି।




