ଜାତୀୟବାଣିଜ୍ୟମନୋରଞ୍ଜନ

୫୨ ଲକ୍ଷର ଚାକିରି ଛାଡ଼ି ମୋମୋ ବ୍ୟବସାୟ; ଗୁରଗାଓଁ ଯୁବ ଉଦ୍ୟୋଗୀ ସାକେତଙ୍କ ସଫଳତା କାହାଣୀ

ନୂଆଦିଲ୍ଲୀ,୧୦/୦୨/୨୦୨୬: ଗୁରଗାଓଁର ଜଣେ ଯୁବ ଉଦ୍ୟୋଗୀ ସାକେତ ସୌରଭଙ୍କ ସଫଳତା କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସାକେତ ୨୦୨୩ ମସିହାରେ ନିଜର ବାର୍ଷିକ ୫୨ ଲକ୍ଷ ଟଙ୍କାର ଲାଭଜନକ ଚାକିରି ଛାଡ଼ି ମୋମୋ ବ୍ୟବସାୟରେ ପାଦ ଦେଇଥିଲେ। ସେ “ଦ ମୋମୋ ମାଫିଆ” (The Momo Mafia) ନାମକ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ପ୍ରତିଷ୍ଠା କରିଛନ୍ତି, ଯାହା ବର୍ତ୍ତମାନ ଭାରତର ସାତଟି ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିସାରିଛି। ଭାରତରେ ମୋମୋ ବା ଡମ୍ପଲିଂର ଏକ ନିଜସ୍ୱ ବୃହତ ବ୍ରାଣ୍ଡ ରହିବା ଉଚିତ୍ ବୋଲି ସେ ଦୃଢ଼ ବିଶ୍ୱାସ କରୁଥିଲେ, ଯାହା ତାଙ୍କୁ କୋଟି କୋଟି ଟଙ୍କାର ବ୍ୟବସାୟୀ ଭାବେ ଗଢ଼ିତୋଳିଛି।

ସାକେତଙ୍କ ଏହି ଯାତ୍ରା ଅତି ସାଧାରଣ ଭାବେ ଆରମ୍ଭ ହୋଇଥିଲା। ସେ ପ୍ରଥମେ ଗୁରଗାଓଁର ଏକ ଛୋଟ ଠେଲା ଗାଡ଼ିରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଆରମ୍ଭରେ ସେ ନିଜ ଭାଇ ଓ ଭଉଣୀଙ୍କ ସହ ମିଶି ଏକ କାଫେ ଚଳାଉଥିଲେ ଏବଂ ସେଠାରେ ପରୀକ୍ଷାମୂଳକ ଭାବେ ମୋମୋ ବିକ୍ରି କରିଥିଲେ। ଦେଖୁ ଦେଖୁ ତାଙ୍କର ଚାହିଦା ଏତେ ବଢ଼ିଲା ଯେ, ଦୈନିକ ବିକ୍ରି ୧୦,୦୦୦ ରୁ ୧୨,୦୦୦ ଟଙ୍କାରେ ପହଞ୍ଚିଲା। ବର୍ତ୍ତମାନ ତାଙ୍କର ୪୦ରୁ ଅଧିକ ଚଳନ୍ତି ଗାଡ଼ି (carts), ୨୦ଟି ଛୋଟ ଆଉଟଲେଟ୍ ଏବଂ ଦୁଇଟି ବଡ଼ ରେଷ୍ଟୁରାଣ୍ଟ ରହିଛି।

ତେବେ ଏହି ସଫଳତା ପଛରେ ଅନେକ ସଂଘର୍ଷ ରହିଛି। ଠେଲା ଗାଡ଼ିରେ ବ୍ୟବସାୟ କରିବା ସମୟରେ ତାଙ୍କୁ ପାଗର ପ୍ରତିକୂଳତା ଏବଂ ପ୍ରଶାସନିକ କଟକଣାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସବୁ ସମସ୍ୟାର ସମାଧାନ ପାଇଁ ସେ କେବଳ ଠେଲା ଉପରେ ନିର୍ଭର ନକରି ଛୋଟ ଛୋଟ ଆଉଟଲେଟ୍ ଖୋଲିବାକୁ ନିଷ୍ପତ୍ତି ନେଲେ। ଏହି ନୂଆ ବ୍ୟବସାୟିକ ଶୈଳୀକୁ ସେ CSR (Cart Service Restaurant) ମଡେଲ୍ ବୋଲି ନାମିତ କରିଛନ୍ତି।

ସାକେତଙ୍କ ଏହି ବ୍ରାଣ୍ଡରେ ବର୍ତ୍ତମାନ ପାଞ୍ଚ ଜଣ ଅଂଶୀଦାର ଅଛନ୍ତି। ତାଙ୍କର ୫୦ ଲକ୍ଷର ଚାକିରି ଛାଡ଼ିବା ପ୍ରସଙ୍ଗରେ ହୋଇଥିବା ଏକ ଇନଷ୍ଟାଗ୍ରାମ ଭିଡିଓକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ନୂତନ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇ ସେ କୁହନ୍ତି ଯେ, କେବଳ ରାସ୍ତା କଡ଼ରେ ଷ୍ଟଲ୍ ନକରି ଏକ ଉପଯୁକ୍ତ ଆଉଟଲେଟ୍ ସହିତ ବ୍ୟବସାୟ ଆରମ୍ଭ କଲେ ଏହାକୁ ଏକ ବଡ଼ ବ୍ରାଣ୍ଡରେ ପରିଣତ କରାଯାଇପାରିବ।

Related Articles

Back to top button