
ନୂଆଦିଲ୍ଲୀ,୧୦/୦୨/୨୦୨୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟକର ନିୟମର ଏକ ନୂତନ ଡ୍ରାଫ୍ଟ ଜାରି କରାଯାଇଛି, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ନୂତନ ନିୟମ ଅନୁଯାୟୀ, ନଗଦ କାରବାର, ସମ୍ପତ୍ତି କ୍ରୟ, ଯାନବାହନ କିଣାବିକା ଏବଂ ହୋଟେଲ ବିଲ୍ ପେମେଣ୍ଟ କ୍ଷେତ୍ରରେ ପ୍ୟାନ୍ କାର୍ଡର ଆବଶ୍ୟକତାକୁ ପୁନଃ ନିର୍ଧାରିତ କରାଯିବ। ଏହା ସହିତ, କ୍ରିପ୍ଟୋ ଏକ୍ସଚେଞ୍ଜଗୁଡ଼ିକ ଏବେ ସେମାନଙ୍କ କାରବାର ସମ୍ପର୍କିତ ସୂଚନା ଆୟକର ବିଭାଗ ସହିତ ସେୟାର କରିବାକୁ ବାଧ୍ୟ ହେବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପସ୍ଥାପନ ପରେ CBDT ପକ୍ଷରୁ ଏହି ପ୍ରସ୍ତାବିତ ‘ଆୟକର ଆକ୍ଟ-୨୦୨୬’ର ଖସଡ଼ା ସାଧାରଣ ମତାମତ ପାଇଁ ପ୍ରକାଶ ପାଇଛି।
ପ୍ରସ୍ତାବିତ ନିୟମ ଅନୁଯାୟୀ, ଗୋଟିଏ ଆର୍ଥିକ ବର୍ଷରେ ଯଦି କେହି ଜଣେ ବ୍ୟକ୍ତି ନିଜର ଏକ ବା ଏକାଧିକ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ ଜମା କିମ୍ବା ଉଠାଣ କରନ୍ତି, ତେବେ ପ୍ୟାନ୍ କାର୍ଡ ପ୍ରଦାନ କରିବା ଅନିର୍ବାର୍ଯ୍ୟ ହେବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ନିୟମ ଅନୁସାରେ ଦୈନିକ ୫୦ ହଜାର ଟଙ୍କାରୁ ଅଧିକ ନଗଦ ଜମା ପାଇଁ ପ୍ୟାନ୍ ଆବଶ୍ୟକ ହୋଇଥାଏ। ସରକାରଙ୍କ ଏହି ପଦକ୍ଷେପ ବଡ଼ ଧରଣର ନଗଦ କାରବାର ଉପରେ ନଜର ରଖିବା ପାଇଁ ଉଦ୍ଦିଷ୍ଟ।
ଯାନବାହନ କିଣିବା କ୍ଷେତ୍ରରେ ମଧ୍ୟ ପ୍ୟାନ୍ ବ୍ୟବହାରର ସୀମା ପରିବର୍ତ୍ତନ କରାଯାଉଛି। ନୂତନ ପ୍ରସ୍ତାବ ଅନୁଯାୟୀ, ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାର୍ କିମ୍ବା ବାଇକ୍ କିଣିଲେ ପ୍ୟାନ୍ ନମ୍ବର ଦେବାକୁ ପଡ଼ିବ। ବର୍ତ୍ତମାନ ବାଇକ୍ କିଣିବା ପାଇଁ ପ୍ୟାନ୍ର ଆବଶ୍ୟକତା ନଥିବା ବେଳେ ୪ ଲକ୍ଷରୁ ଅଧିକ ମୂଲ୍ୟର କାର୍ ପାଇଁ ଏହା ବାଧ୍ୟତାମୂଳକ ରହିଛି। ଅନ୍ୟପଟେ, ଅସ୍ଥାବର ସମ୍ପତ୍ତି କ୍ରୟ, ବିକ୍ରୟ କିମ୍ବା ଉପହାର କ୍ଷେତ୍ରରେ ପ୍ୟାନ୍ ପ୍ରଦାନର ସୀମାକୁ ୧୦ ଲକ୍ଷରୁ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି।
ଏହା ବ୍ୟତୀତ, ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ବଡ଼ ଧରଣର ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ବିଲ୍ ପେମେଣ୍ଟ ଉପରେ କଟକଣା କଡ଼ାକଡ଼ି କରାଯାଇଛି। ଯଦି କୌଣସି ବ୍ୟକ୍ତି ହୋଟେଲ, ସମ୍ମିଳନୀ କେନ୍ଦ୍ର, ବ୍ୟାଙ୍କୁଇଟ୍ ହଲ୍ କିମ୍ବା ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ ୧ ଲକ୍ଷ ଟଙ୍କାରୁ ଅଧିକ ଦେୟ ପ୍ରଦାନ କରନ୍ତି, ତେବେ ସେଠାରେ ପ୍ୟାନ୍ ନମ୍ବର ଦେବାକୁ ପଡ଼ିବ। ଏହି ସମସ୍ତ ନିୟମ ଆୟକର ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛି।




