ଜାତୀୟରାଜନୀତି

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ସଂସଦରେ ହଟ୍ଟଗୋଳ; ସରକାରଙ୍କୁ ‘ଭାରତ ବିକ୍ରି’ର ଅଭିଯୋଗ ଆଣିଲେ ରାହୁଲ

ନୂଆଦିଲ୍ଲୀ,୧୧/୦୨/୨୦୨୬ :ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିକୁ ନେଇ ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ସରକାର ଦେଶର ସ୍ୱାର୍ଥକୁ ବଳି ଦେଇ ଭାରତକୁ “ବିକ୍ରି” କରିଦେଇଛନ୍ତି। ଆମେରିକୀୟ ସାମଗ୍ରୀକୁ ଭାରତୀୟ ବଜାରରେ ପ୍ରବେଶ ଅନୁମତି ଦେବା ଦ୍ୱାରା ସ୍ଥାନୀୟ କୃଷକ ଓ ବ୍ୟବସାୟୀଙ୍କ ଜୀବିକା ବିପଦରେ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।

ରାହୁଲ ଏହି ଚୁକ୍ତିକୁ ଏକ “ହୋଲସେଲ୍ ସରେଣ୍ଡର୍” (Wholesale Surrender) ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଶକ୍ତି ସୁରକ୍ଷାକୁ ଆମେରିକା ହାତରେ ଟେକି ଦିଆଯାଇଛି ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ‘ଡାଟା’ ବିକ୍ରି ହୋଇଛି। ଏହି ବାଣିଜ୍ୟ ନୀତି ଯୋଗୁଁ ଭାରତୀୟ ବୟନ ଶିଳ୍ପ ଶେଷ ହେବାକୁ ଯାଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ “ଭାରତ ମାତାଙ୍କୁ ବିକ୍ରି କରିବାକୁ ଆପଣଙ୍କୁ ଲାଜ ଲାଗୁନି କି?” ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ରାହୁଲଙ୍କ ଏହି ଆକ୍ରମଣାତ୍ମକ ଭାଷଣ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ପାଲଟା ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ଭାରତକୁ କେହି ବିକ୍ରି କରିପାରିବେ ନାହିଁ ଏବଂ କଂଗ୍ରେସ କ୍ରମାଗତ ଭାବେ ଦେଶକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ରିଜିଜୁ ରାହୁଲଙ୍କୁ “ମିଛୁଆ” ବୋଲି ସମ୍ବୋଧନ କରିବା ସହ ସେ ସଂସଦର ମର୍ଯ୍ୟାଦା ହାନି କରୁଥିବା ଅଭିଯୋଗ କରିଛନ୍ତି। ରାହୁଲଙ୍କ ବିରୋଧରେ ବାଚସ୍ପତିଙ୍କୁ ଏକ ନୋଟିସ୍ ଦିଆଯିବ ଏବଂ ତାଙ୍କ ଦ୍ୱାରା ଦିଆଯାଇଥିବା ମିଥ୍ୟା ତଥ୍ୟର ପର୍ଦ୍ଦାଫାଶ କରାଯିବ ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button