ଓଡ଼ିଶାଜାତୀୟ

ସମୁଦ୍ରରେ ନିଖୋଜ ସାର୍ଥକଙ୍କ ପତ୍ତା ମିଳୁନି: ସିଙ୍ଗାପୁରରୁ ନିରାଶ ହୋଇ ଫେରିଲେ ମା’ ଓ ମାମୁଁ

ଭୁବନେଶ୍ୱର,୧୮/୦୨/୨୦୨୬: ମଝି ସମୁଦ୍ରରେ ଜାହାଜରୁ ନିଖୋଜ ହୋଇଯାଇଥିବା ୨୨ ବର୍ଷୀୟ ଓଡ଼ିଆ ଯୁବକ ସାର୍ଥକ ମହାପାତ୍ର ଓରଫ ରାହୁଲଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବା ପରିବାର ପାଇଁ ଅତ୍ୟନ୍ତ ମର୍ମାହତ ବିଷୟ ପାଲଟିଛି। ଏହି ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ହେଁ ଡେକ୍ କ୍ୟାଡେଟ୍ ସାର୍ଥକଙ୍କର ଏଯାଏଁ କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜ ପୁଅକୁ ଖୋଜିବା ପାଇଁ ସୁଦୂର ସିଙ୍ଗାପୁର ଯାଇଥିବା ମା’ ରଶ୍ମିତା ସାହୁ ଏବଂ ମାମୁ ସନ୍ତୋଷ ସାହୁ ମଙ୍ଗଳବାର ସକାଳେ ନିରାଶ ହୋଇ ଓଡ଼ିଶା ଫେରିଛନ୍ତି। ଏକମାତ୍ର ପୁଅକୁ ନ ପାଇ ରଶ୍ମିତା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ଆଖିରୁ ଲୁହ ଶୁଖୁନାହିଁ।

ତେବେ ଏହି ସମଗ୍ର ଘଟଣାରେ ‘ଆଙ୍ଗ୍ଲୋ ଇଷ୍ଟର୍ନ ସିପିଂ କମ୍ପାନୀ’ର ଭୂମିକାକୁ ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଛି। ସାର୍ଥକଙ୍କୁ ଖୋଜାଖୋଜି କରିବା ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିନଥିବା ମାମୁ ସନ୍ତୋଷ ସାହୁ ପ୍ରକାଶ କରିଛନ୍ତି। ଜାହାଜରେ ସାର୍ଥକଙ୍କ ସହ କ’ଣ ଘଟିଥିଲା ଏବଂ ସେ କେଉଁ ପରିସ୍ଥିତିରେ ନିଖୋଜ ହେଲେ, ତାହା ଏବେ ବି ରହସ୍ୟାବୃତ ହୋଇ ରହିଛି। ପରିବାର ଲୋକେ ଏବେ ମଧ୍ୟ ସାର୍ଥକଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିବା ବେଳେ ସରକାରୀ ସ୍ତରରେ ତଦନ୍ତକୁ ଜୋରଦାର କରିବା ପାଇଁ ନିବେଦନ କରିଛନ୍ତି।

Related Articles

Back to top button