ଥାଇଲାଣ୍ଡରେ ଫସିଥିଲେ ସରକାର ଉଦ୍ଧାର କଲେ
୬ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ଜଣ ଫେରିଲେ, ଫେରିବେ ଆଉ ଦୁଇ

ଭୁବନେଶ୍ୱର, ୨୧.୦୨.୨୦୨୬: ଓଡ଼ିଶା ଫେରିଲେ ଥାଇଲାଣ୍ଡରେ ଫସି ରହିଥିବା ୪ଜଣ ଓଡ଼ିଆ । ଓଡ଼ିଶା ସରକାରଙ୍କ ପ୍ରୟାୟରେ ଏହି ୪ ଯୁବକ ଶନିବାର ନିଜ ରାଜ୍ୟକୁ ଫେରିବାରେ ସକ୍ଷମ ହୋଇଛନ୍ତି । ଏମାନଙ୍କ ନାମ ହେଉଛି ଜୟନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର ବେହେରା, ମନରଞ୍ଜନ ସାହୁ ଓ ବିଜୟ କୁମାର ସ୍ୱାଇଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ଜଣଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି।
କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରୁ ୬ ଜଣ ଯୁବକ ୨୦୨୫ ମସିହା ଅଗଷ୍ଟ ମାସରେ ଥାଇଲାଣ୍ଡର ଏକ ପ୍ଲାଏଉଡ଼ କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ କମ୍ପାନୀ ମାଲିକ ସେମାନଙ୍କୁ ଦରମା ଦେଉ ନଥିଲା । ଏହା ସହ ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ ଓଡ଼ିଶା ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ।
ଏହା ଜାଣିବା ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ୪ଜଣ ଓଡ଼ିଆ ଯୁବକଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ଆଜି ଓଡ଼ିଶାକୁ ଫେରିବା ପରେ ଯୁବକମାନେ ସମସ୍ତ ସହାୟତା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।




