ଫେବୃଆରୀ ୨୮ରେ କିଶୋରୀଙ୍କ ପାଇଁ ସର୍ଭିକାଲ କ୍ୟାନ୍ସର ଟିକାକରଣର ଶୁଭାରମ୍ଭ


ଭୁବନେଶ୍ୱର: ରାଜ୍ୟରେ କିଶୋରୀମାନଙ୍କ ପାଇଁ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଆସନ୍ତା ୨୮ ତାରିଖରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଜାତୀୟ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ଭାବେ ଶୁଭାରମ୍ଭ କରିବେ। ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ସ୍ୱତନ୍ତ୍ର ଗାଇଡଲାଇନ୍ ଅନୁଯାୟୀ, ୯ରୁ ୧୪ ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କୁ ସିଙ୍ଗଲ୍ ଡୋଜ୍ ଟିକା ଦିଆଯିବ। ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନୱାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ପର୍ଯ୍ୟାୟକ୍ରମେ ଚାଲିବ। ଏହା ମାଧ୍ୟମରେ ଭବିଷ୍ୟତରେ ଜରାୟୁ କର୍କଟର ଆଶଙ୍କାକୁ କମେଇବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ, ‘ଭାରତ ବର୍ଷରେ ସବୁଠି କ୍ୟାନ୍ସର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଆସନ୍ତା ଫେବୃଆରୀ ୨୮ ତାରିଖରେ ଏକ cervical କ୍ୟାନ୍ସର ଇମ୍ୟୁନିଜସନ ପ୍ରୋଗ୍ରାମ ଆରମ୍ଭ ହେବାକୁ ଯାଉଛନ୍ତି । ଆମ ରାଜ୍ୟରେ ମଧ୍ୟ ଏହା ଆରମ୍ଭ ହବ । ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀମାନକ ପାଇଁ ଗୋଟିଏ ଡୋଜର ବ୍ୟବସ୍ଥା ଥିବା ବେଳେ ୧୪ରୁ ବିବାହ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ତିନୋଟି ଡୋଜ୍ ନେବାକୁ ପଡିବ ।’ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘୨୦୨୬-୨୭ରେ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ ଆରମ୍ଭ ହେବ। ଏହା ଅଧୀନରେ ରାଜ୍ୟରେ ସମସ୍ତ ପ୍ରକାର କର୍କଟ ରୋଗ ପ୍ରତିରୋଧ, ସମୟୋପଯୋଗୀ ପରୀକ୍ଷା ଓ ଉଚିତ ଚିକିତ୍ସା ସୁବିଧା ବିସ୍ତାରିତ କରାଯିବ। ପ୍ରାଥମିକ ଅବସ୍ଥାରେ କର୍କଟ ଚିହ୍ନଟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ସମଗ୍ର କାର୍ଯ୍ୟକ୍ରମ ପାଇଁ ପ୍ରାୟ ୩୧୧ କୋଟି ଟଙ୍କା ବ୍ୟୟ ହେବ’ ବୋଲି ମହାଲିଙ୍ଗ ଜଣାଇଛନ୍ତି ।




