ଶୈଳବାଳାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି: ଦାବି ପୂରଣ ନହେଲେ କଟକ ବନ୍ଦ ଚେତାବନୀ


ଭୁବନେଶ୍ବର: ଜୋର ଧରିଲା ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା । ଛାତ୍ରୀମାନଙ୍କୁ ସମର୍ଥନ କରି ଆଜି କଲେଜର ପୂର୍ବତନ ଛାତ୍ରୀ, କଟକ ବରିଷ୍ଠ ନାଗରିକ, କଟକ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଆସି ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଶୈଳବାଳାକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ମିଳି ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ କଟକ ବନ୍ଦ ପାଇଁ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ପୂର୍ବତନ ଛାତ୍ରୀମାନେ । ଗତକାଲି ଜିଲ୍ଲାପାଳଙ୍କ ସହିତ ଆଲୋଚନା ବିଫଳ ହେବା ପରେ କଲେଜର କିଛି ଛାତ୍ରୀ ଓ ପୂର୍ବତନ ଛାତ୍ରୀମାନେ ଅହୋରାତ୍ର ଧାରଣା ଦେଇଥିଲେ । ଆଜି ପୁଣି ଧାରଣା ଜାରି ରହିବ ବୋଲି କହିଛନ୍ତି । ଅନ୍ୟପଟେ କଲେଜ ଅଧ୍ୟକ୍ଷଙ୍କ ନାଁରେ ଛାତ୍ରୀମାନେ ବଡ଼ ଅଭିଯୋଗ ଆଣିଛନ୍ତି । କଲେଜ ଅଧ୍ୟକ୍ଷ ଅପରାହ୍ନ ୩ ଟା ପରେ କଲେଜ ପରିସରରେ ପିଲାମାନଙ୍କୁ ରହିବା ପାଇଁ ଦେଉ ନାହାଁନ୍ତି । ଯେଉଁ ଛାତ୍ରୀମାନେ ଆନ୍ଦୋଳନରେ ସାମିଲ ହେଉଛନ୍ତି ସେମାନଙ୍କ ଅଭିଭାବକମାନଙ୍କୁ ଫୋନ କରି ମିଛ ସତ କହାଯାଉଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀମାନେ । ଏପରିକି ଆନ୍ଦୋଳନରେ ସାମିଲ ହେଲେ କ୍ୟାରିୟର ନଷ୍ଟ କରିଦେବାକୁ ବିଭାଗର ଏଚଓଡ଼ିମାନେ ଧମକ ଦେଉଛନ୍ତି ବୋଲି ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି ।




