
ହୋଲି ରଙ୍ଗର ପର୍ବ ହୋଇଥିବା ବେଳେ ଏହା ଆନନ୍ଦ ଓ ଉଲ୍ଲାସ ନେଇ ଆସିଥାଏ। ମାତ୍ର ଏହି ଆନନ୍ଦ ସେତେବେଳେ ଚିନ୍ତାରେ ପରିଣତ ହୁଏ, ଯେତେବେଳେ ରଙ୍ଗ ଚର୍ମରୁ ଛାଡ଼ିବାକୁ ନାଁ ନିଏ ନାହିଁ। ବଜାରରେ ମିଳୁଥିବା ଅଧିକାଂଶ ରଙ୍ଗରେ କେମିକାଲ୍ ଥିବାରୁ ଏହା ଚର୍ମକୁ କ୍ଷତି ପହଞ୍ଚାଇଥାଏ। ତେବେ ଭୟ ନକରି କିଛି ସରଳ ଘରୋଇ ଉପାୟ ଆପଣାଇ ଆପଣ ନିଜ ତ୍ୱଚାର ସୁରକ୍ଷା କରିପାରିବେ।
ହୋଲି ରଙ୍ଗ ଛଡ଼ାଇବା କିଛି ଟିପ୍ସ ଏବଂ ଘରୋଇ ଉପଚାର
୧. ନଡ଼ିଆ ତେଲର ଲଗାନ୍ତୁ :
ତ୍ୱଚାରୁ ଗାଢ଼ ରଙ୍ଗ ବାହାର କରିବା ପାଇଁ ନଡ଼ିଆ ତେଲ ସବୁଠାରୁ ଉତ୍ତମ ମାଧ୍ୟମ। ରଙ୍ଗ ଲଗାଯାଇଥିବା ସ୍ଥାନରେ କିଛି ନଡ଼ିଆ ତେଲ ଧୀରେ ଧୀରେ ମାଲିସ କରନ୍ତୁ। ଏହା ରଙ୍ଗକୁ ଚର୍ମର ଗଭୀରରୁ ବାହାର କରିଦିଏ। ଏହାପରେ ଏକ ନରମ ତୁଳା କିମ୍ବା କପଡ଼ା ସାହାଯ୍ୟରେ ପୋଛି ଦିଅନ୍ତୁ। ଏହା ଦ୍ୱାରା ରଙ୍ଗ ସହଜରେ ବାହାରିଯିବ ।
୨. ବେସନ ଓ କ୍ଷୀରର ପ୍ରାକୃତିକ ସ୍କ୍ରବ୍:
ଚର୍ମକୁ ଘଷି ସଫା କରିବା ପାଇଁ ରାସାୟନିକ ସ୍କ୍ରବ୍ ବଦଳରେ ଘରୋଇ ସ୍କ୍ରବ୍ ବ୍ୟବହାର କରନ୍ତୁ। ଦୁଇ ଚାମଚ ବେସନରେ ଅଳ୍ପ କଞ୍ଚା କ୍ଷୀର ଏବଂ ଚିମୁଟାଏ ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ଶରୀରରେ ଲଗାଇ ୫-୧୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ।
ଶୁଖିବା ପରେ ଅଳ୍ପ ପାଣି ଦେଇ ଧୀରେ ଧୀରେ ରଗଡ଼ନ୍ତୁ। ଏହା ତ୍ୱଚାକୁ ଶୁଷ୍କ ନକରି ଗଭୀରରୁ ସଫା କରିଥାଏ।
୩. ଆଲୋଭେରା ଜେଲ୍:
ହୋଲି ରଙ୍ଗରେ ଥିବା କେମିକାଲ୍ ଯୋଗୁଁ ଅନେକ ସମୟରେ ଚର୍ମ କୁଣ୍ଡେଇ ହୁଏ ବା ରାସେସ୍ ଦେଖାଦିଏ। ଆଲୋଭେରା ଜେଲ୍ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାକୁ ରଙ୍ଗ ଲଗା ସ୍ଥାନରେ ଲଗାଇଲେ ଏହା ଚର୍ମକୁ ଥଣ୍ଡା ରଖେ ଏବଂ ରଙ୍ଗ ଛଡ଼ାଇବାରେ ସାହାଯ୍ୟ କରେ।
୪. ଦହି ଏବଂ ମହୁର ଫେସ୍ ପ୍ୟାକ୍:
ଯଦି ଆପଣଙ୍କ ତ୍ୱଚା ଅତି ସମ୍ବେଦନଶୀଳ, ତେବେ ଦହି ଓ ମହୁର ମିଶ୍ରଣ ବ୍ୟବହାର କରନ୍ତୁ। ଏକ ଚାମଚ ଦହିରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ। ୧୦ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ। ଦହି ରଙ୍ଗ ବାହାର କରିବା ସହ ତ୍ୱଚାକୁ ଉଜ୍ଜ୍ୱଳ କରେ ଏବଂ ମହୁ ଏକ ପ୍ରାକୃତିକ ମଇଶ୍ଚରାଇଜର୍ ଭାବେ କାର୍ଯ୍ୟ କରେ।
ହୋଲି ଏକ ଖୁସିର ପର୍ବ, ଏହାକୁ ଉପଭୋଗ କରନ୍ତୁ। କିନ୍ତୁ କେମିକାଲ୍ ଯୁକ୍ତ ରଙ୍ଗ ବଦଳରେ ଯଦି ହର୍ବାଲ୍ ବା ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ, ତେବେ ଉଭୟ ଆପଣଙ୍କ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। ଉପରୋକ୍ତ ଘରୋଇ ଉପଚାର ଗୁଡ଼ିକ ଆପଣଙ୍କୁ ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ସୁନ୍ଦର ଓ ରଙ୍ଗମୁକ୍ତ ତ୍ୱଚା ପ୍ରଦାନ କରିବାରେ ସାହାଯ୍ୟ କରିବ।




