ଓଡ଼ିଶାଦୁର୍ନୀତି

ଖଣି ଅଧିକାରୀଙ୍କ ଘରୁ ମିଳିଲା ୪ କୋଟିରୁ ଅଧିକ ନଗଦ ଟଙ୍କା

ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ଚଢ଼ାଉ

ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୬: କଟକ ଖଣି ବିଭାଗର ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ବାସଭବନରୁ କୋଟି କୋଟି ଟଙ୍କାର ନଗଦ ଅର୍ଥ ଠାବ କରାଯାଇଛି, ଯାହା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଫିସରଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇସାରିଥିବା ବେଳେ ଗଣତି ଏବେ ବି ଜାରି ରହିଛି।ଭୁବନେଶ୍ୱର ଶ୍ରୀବିହାରସ୍ଥିତ ଶ୍ରୀ ମହାନ୍ତିଙ୍କ ବାସଭବନରେ ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ଘରର ପ୍ରତିଟି କୋଣ ଅନୁକୋଣରେ କେବଳ ୫୦୦ ଟଙ୍କିଆ ନୋଟର ଠାବ କରିଥିଲା । ସୋଫା ଭିତରେ, ଖଟ ତଳେ, ସୁଟକେସ୍ ଏବଂ ଷ୍ଟ୍ରଲି ବ୍ୟାଗ୍‌ରେ କୁଢ଼ କୁଢ଼ ଟଙ୍କା ଭର୍ତ୍ତି ହୋଇ ରହିଥିଲା। ଏପରିକି ଏତେ ପରିମାଣର ଅର୍ଥ ଦେଖି ଜଣେ ଅଧିକାରୀ ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ ଶୁଣିବାକୁ ମିଳୁଛି। ଟଙ୍କା ସହ ପ୍ରାୟ ୧୩୦ ଗ୍ରାମ ସୁନା ଏବଂ ପାହଳ ଅଞ୍ଚଳରେ ଏକ ବିଳାସମୟ ଦ୍ୱିମହଲା କୋଠାର ମଧ୍ୟ ସନ୍ଧାନ ମିଳିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଦେବବ୍ରତ ମହାନ୍ତି। ଏହାପରେ ତାଙ୍କର ଭୁବନେଶ୍ୱର ବାସଭବନ, ଭଦ୍ରକର ପୈତୃକ ଘର ଏବଂ କଟକ ସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ୨୦୦୪ ମସିହାରେ ଜଣେ ମାଇନିଂ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ମହାନ୍ତି ନିଜର ୨୧ ବର୍ଷର ଚାକିରି କାଳ ମଧ୍ୟରେ ଏହି ବିଶାଳ ସମ୍ପତ୍ତି ଠୁଳ କରିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବା ବେଳେ ଏହି ଅଭିଯାନରେ ଆହୁରି ଅନେକ ବଡ଼ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଘଟଣାରେ ଅଧିକ ଖୋଳତାଡ଼ ଜାରି ରହିଛି।

 

Related Articles

Back to top button