ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ୯୩.୨୭ କୋଟି


ଭୁବନେଶ୍ବର: ନୂତନ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଆଜି ନୂଆଦିଲ୍ଲୀରେ ଓଡ଼ିଶା ଭବନର ଶିଳାନ୍ୟାସ କରିଛନ୍ତି ମୋହନ ଚରଣ ମାଝୀ । ଏହି ନୂତନ ବିଲ୍ଡିଂ ନିର୍ମାଣରେ ଖର୍ଚ୍ଚ ହେବ ୯୩.୨୭ କୋଟି ଟଙ୍କା । ୩ଟି ବେସମେଣ୍ଟ ଉପରେ ୭ ମହଲା ବିଲ୍ଡିଂ ନିର୍ମାଣ ହେବ । ଏଥିରେ ରହିବ ୪୫ଟି ରୁମ୍ । ଓଡ଼ିଶା ଭବନ ନିର୍ମାଣ ଶୈଳୀରେ ପ୍ରତିଫଳିତ ହେବ ଓଡିଶାର ସମୃଦ୍ଧ କଳା ଓ ସଂସ୍କୃତିର ଝଲକ । ଓଡ଼ିଶା ଭବନ ଓ ସଦନ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଡିଭିଜନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ନିର୍ମାଣ ହେବ ଓଡ଼ିଶା ଭବନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,” ନୂଆଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ଓଡିଶା ଭବନର ନୂତନ ବିଲ୍ଡିଂ ନିର୍ମାଣ ଶୈଳୀରେ ଓଡିଶାର ସମୃଦ୍ଧ ଐତିହ୍ୟ, କଳା ଓ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିବ । ପୂର୍ବରୁ ଥିବା ଭବନଟି ପୁରୁଣା ହୋଇଯାଇଥିବା ସହ ସ୍ଥାନ ଓ ସୁବିଧାର ଅଭାବ ଥିବାରୁ ବର୍ତ୍ତମାନର ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ନୂଆ ଭବନ ନିର୍ମାଣ କରାଯାଉଛି । ଏଥିରେ ୩ଟି ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ୬ଟି ମହଲା ରହିବ । ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ୪୫ଟି ସୁଇଟ ବ୍ୟବସ୍ଥା କରାଯିବ । ପ୍ରଥମ ମହଲାରେ ଏକ ଏକଜିବିସନ ଏରିଆ ଏବଂ ଦ୍ୱିତୀୟ ମହଲାରେ ପ୍ରାୟ ୭୦ ଆସନ ବିଶିଷ୍ଟ କନ୍ଫରେନ୍ସ ହଲ ରହିବ ।




