ଶେୟାର ବଜାରରେ ବଡ଼ ହ୍ରାସ , ସୁନା ଦର ବୃଦ୍ଧି

ଭୁବନେଶ୍ୱର, ୦୨/୦୩/୨୦୨୬: ଆଜି ଅର୍ଥାତ୍ ୨ ମାର୍ଚ୍ଚ ୨୦୨୬ରେ ଭାରତୀୟ ପୁଞ୍ଜି ବଜାରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କାରଣରୁ ଭାରତୀୟ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟିରେ ବଡ଼ ଝଟକା ଲାଗିଛି। ବିଏସଇ ସେନସେକ୍ସ ପ୍ରାୟ ୨,୭୪୩ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ମଧ୍ୟ ୫୧୯ ପଏଣ୍ଟ ତଳକୁ ଖସି ଆସିଛି। ଏଥିସହିତ ବିଏସଇ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ଲାଲ୍ ସଙ୍କେତରେ କାରବାର କରୁଥିବାର ଦେଖାଯାଇଛି, ଯାହା ବିନିଯୋଗକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନ୍ୟପଟେ, ଶେୟାର ବଜାର ହ୍ରାସ ପାଇଥିବା ବେଳେ ସୁନା ଦରରେ ଆକାଶଛୁଆଁ ବୃଦ୍ଧି ଘଟିଛି। ଆଜି ସୁନା ମୂଲ୍ୟରେ ପ୍ରାୟ ୫ ହଜାର ଟଙ୍କାର ବୃଦ୍ଧି ପରିଲକ୍ଷିତ ହୋଇଛି। ଗତକାଲି ତୁଳନାରେ ଏହି ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ପକାଇଛି। ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଦେଖାଦେଇଥିବା ଅସ୍ଥିରତା ହିଁ ଭାରତୀୟ ବଜାର ଏବଂ ସୁନା ଦର ଉପରେ ଏଭଳି ପ୍ରଭାବ ପକାଉଛି।




