
ନୂଆଦିଲ୍ଲୀ, ୦୬/୦୩/୨୦୨୬: ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ପକ୍ଷରୁ ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ଅନୁଜ ଅଗ୍ନିହୋତ୍ରୀ ସର୍ବଭାରତୀୟ ସ୍ତରରେ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରାଜେଶ୍ୱରୀ ଶୁଭ ଏମ୍. ଏବଂ ତୃତୀୟ ସ୍ଥାନରେ ଆକାଂଶ ଧୂଲ ରହିଛନ୍ତି। ସେହିଭଳି ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ରାଘବ ଝୁନ୍ଝୁନ୍ଓ୍ବାଲା, ଇଶାନ ଭଟ୍ଟନାଗର, ଜିନିଆ ଆରୋରା, ରାଜାହ ମହାଇଦ୍ଦିନ, ପକ୍ଷାଲ ସେକ୍ରେଟ୍ରି, ଆସ୍ଥା ଜୈନ ଏବଂ ଉଜ୍ଜ୍ୱଳ ପ୍ରିୟଙ୍କ ସ୍ଥାନ ପାଇଛନ୍ତି।
କମିଶନଙ୍କ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ ନିଜର ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ଯାଞ୍ଚ କରିପାରିବେ। UPSC ପକ୍ଷରୁ PDF ଫର୍ମାଟରେ ମନୋନୀତ ପ୍ରାର୍ଥୀଙ୍କ ନାମ ଓ ରୋଲ୍ ନମ୍ବର ସମ୍ବଳିତ ତାଲିକା ଜାରି କରାଯାଇଛି। ବିଶ୍ୱର ସବୁଠାରୁ କଠିନ ପରୀକ୍ଷା ଭାବେ ପରିଗଣିତ ଏହି ପ୍ରତିଯୋଗିତାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ଅଂଶଗ୍ରହଣ କରିଥାନ୍ତି, ମାତ୍ର ପ୍ରାଥମିକ (Prelims), ମୁଖ୍ୟ (Mains) ଏବଂ ବ୍ୟକ୍ତିତ୍ୱ ପରୀକ୍ଷା (Interview) ଭଳି ତିନୋଟି କଠିନ ପର୍ଯ୍ୟାୟ ଅତିକ୍ରମ କରିବା ପରେ କେବଳ କିଛି ସଫଳ ପ୍ରାର୍ଥୀ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥାନ୍ତି।
ଏହି ସଫଳ ପ୍ରାର୍ଥୀମାନେ ଦେଶର ପ୍ରତିଷ୍ଠିତ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ ସେବା (IPS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ରାଜସ୍ୱ ସେବା (IRS) ଭଳି ଗ୍ରୁପ୍-ଏ ଓ ଗ୍ରୁପ୍-ବି କେନ୍ଦ୍ରୀୟ ସେବାରେ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ ଯେ, ୨୦୨୫ ସିଭିଲ ସେବା ପରୀକ୍ଷା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଥିବା ପ୍ରାୟ ୯୭୯ଟି ଖାଲି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଫଳ ପ୍ରାର୍ଥୀମାନଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।




