ଟି-୨୦ ବିଶ୍ୱକପ୍ ବିଜୟ ପରେ ସଞ୍ଜୁ କହିଲେ ସଫଳତାର ସିକ୍ରେଟ

ତିରୁଅନନ୍ତପୁରମ, ୧୦/୦୩/୨୦୨୬: ଟି-୨୦ ବିଶ୍ୱକପ୍ ୨୦୨୬ ଫାଇନାଲରେ ଭାରତର ଐତିହାସିକ ବିଜୟର ପ୍ରମୁଖ ସୂତ୍ରଧାର ସାଜିଛନ୍ତି ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନ। ନ୍ୟୁଜିଲାଣ୍ଡ ବିପକ୍ଷ ହାଇ-ଭୋଲଟେଜ୍ ମ୍ୟାଚରେ ଯେତେବେଳେ ପୂରା ଦେଶର ନଜର ଟାଇଟଲ୍ ଉପରେ ଥିଲା, ସେତେବେଳେ ସଞ୍ଜୁ ନିଜ ବ୍ୟାଟରେ ଛକା-ଚୌକାର ବର୍ଷା କରି କିୱି ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। ତାଙ୍କର ୮୯ ରନର ସେହି ଅପରାଜିତ ଇନିଙ୍ଗସ ଭାରତକୁ ପୁଣି ଥରେ ବିଶ୍ୱବିଜୟୀ କରିବାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି।
ବିଶ୍ୱକପ୍ ଜିତିବା ପରେ ସଞ୍ଜୁ ସାମସନ ନିଜ ଜନ୍ମମାଟି କେରଳର ତିରୁଅନନ୍ତପୁରମକୁ ଫେରିଛନ୍ତି। ସେଠାରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା। ତେବେ ଏହି ବଡ଼ ସଫଳତା ଓ ଉତ୍ସବ ଭିତରେ ବି ସଞ୍ଜୁ ନିଜ ପରିବାର ସହ ସମୟ ବିତାଇବାକୁ ବେଶ୍ ପସନ୍ଦ କରିଛନ୍ତି। ସେ କହିଛନ୍ତି, “ବିଜୟ ପରେ ମୋ ପରିବାର ବହୁତ ଖୁସି ଅଛନ୍ତି। ମୁଁ ସବୁବେଳେ ଏକ ଶାନ୍ତ ଏବଂ ଘରୋଇ ପରିବେଶରେ ରହିବାକୁ ଭଲ ପାଏ, ତେଣୁ ଜିତିବା ପରେ ମୁଁ ସିଧା ମୋ ବାପା-ମା’ଙ୍କ ପାଖକୁ ଚାଲିଆସିଲି। ସେମାନଙ୍କ ଖୁସି ଦେଖି ମୁଁ ନିଜକୁ ଧନ୍ୟ ମନେ କରୁଛି।”
ଏହି ସଫଳତା ପଛରେ ଥିବା ସଂଘର୍ଷର କାହାଣୀ କହିବା ବେଳେ ସଞ୍ଜୁ ବେଶ୍ ଭାବୁକ ହୋଇପଡ଼ିଥିଲେ। ସେ ନିଜ ସଫଳତାର ସବୁ ଶ୍ରେୟ ନିଜ ପତ୍ନୀଙ୍କୁ ଦେଇଛନ୍ତି। ସଞ୍ଜୁ କହିଛନ୍ତି, “ମୋ ସ୍ତ୍ରୀ ମୋ ପାଇଁ ସବୁଠାରୁ ବଡ଼ ଲକି ଚାମ୍ପ। ଯେତେବେଳେ ମୁଁ ମୋ ପ୍ରଦର୍ଶନକୁ ନେଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲି, ସେତେବେଳେ ତାଙ୍କର ସେହି ହସ ହସ ମୁହଁ ମତେ ସାହସ ଦେଉଥିଲା। ସେ ସବୁବେଳେ ମୋ ପଛରେ ଛିଡ଼ା ହୋଇ ମତେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛନ୍ତି।”
ସଞ୍ଜୁଙ୍କ ଏହି ଶାନ୍ତ ସ୍ୱଭାବ ଏବଂ ଦେଶ ପ୍ରତି ତାଙ୍କର ଅବଦାନକୁ ଏବେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀମାନେ ପ୍ରଶଂସା କରୁଛନ୍ତି। ତାଙ୍କର ଏହି ବିଶ୍ୱକପ୍ ଇନିଙ୍ଗସ ଭାରତୀୟ କ୍ରିକେଟ୍ ଇତିହାସରେ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।




