
ତିରୁଅନନ୍ତପୁରମ, ୧୨/୦୩/୨୦୨୬: କୁମ୍ଭମେଳାରେ ମାଳି ବିକ୍ରି କରି ରାତାରାତି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ମୋନାଲିସା ଭୋସଲେ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିଜ ପ୍ରେମିକ ଫରମାନ ଖାନଙ୍କ ସହ ସେ କେରଳର ଅରୁନୁର ମନ୍ଦିରରେ ବିବାହ କରିଛନ୍ତି। ଏହି ବିବାହ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ, ଯେଉଁଠି ପ୍ରେମ ପାଇଁ ସମାଜ ଓ ପରିବାରର କଟକଣାକୁ ପଛରେ ପକାଇଛନ୍ତି ମୋନାଲିସା।
ଏହି ବିବାହର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ମୋନାଲିସା ଜଣେ ମୁସଲିମ ଯୁବକଙ୍କୁ ବିବାହ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହିନ୍ଦୁ ଶୈଳୀ ଓ କେରଳର ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି। ବିବାହ ପରେ ଫରମାନ ଓ ମୋନାଲିସା ମନ୍ଦିରରେ ପୂଜାର୍ଚ୍ଚନା କରି ପୂଜକଙ୍କଠାରୁ ଆଶୀର୍ବାଦ ନେଇଥିଲେ।
ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କେରଳର ଶିକ୍ଷା ମନ୍ତ୍ରୀ ଭି. ଶିବକୁଟ୍ଟୀ, ସିପିଏମ୍ ରାଜ୍ୟ ସଚିବ ଏମ.ଭି. ଗୋବିନ୍ଦନ ଏବଂ ସାଂସଦ ଏ.ଏ. ରହିମଙ୍କ ପରି ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କ ଗହଳି ଭିତରେ ଏହି ହାଇ-ପ୍ରୋଫାଇଲ୍ ବିବାହ ସମ୍ପନ୍ନ ହୋଇଛି।
ମୋନାଲିସାଙ୍କ ପିତା ବିଜୟ ସିଂହ ଭୋସଲେ ଏହି ସମ୍ପର୍କକୁ ଘୋର ବିରୋଧ କରିବା ସହ ନିଜ ଝିଅ ନାବାଳିକା ବୋଲି ଅଭିଯୋଗ କରିଥିଲେ। ତେବେ ପୋଲିସ ତଦନ୍ତରୁ ମୋନାଲିସାଙ୍କୁ ୧୮ ବର୍ଷ ହୋଇସାରିଥିବା ପ୍ରମାଣିତ ହେବା ପରେ, ସେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ସବୁଜ ସଙ୍କେତ ପାଇଥିଲେ।
ଏହି ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଦୁଇଟି ମତ ଦେଖିବାକୁ ମିଳୁଛି। କେହି କେହି ଏହାକୁ ସାମ୍ପ୍ରଦାୟିକ ଏକତାର ପ୍ରତୀକ କହୁଥିବା ବେଳେ ଅନ୍ୟପଟେ ‘କେରଳା ଷ୍ଟୋରୀ’କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ମୋନାଲିସା ମାଲାୟାଲମ ସିନେମା ‘ନଗମା’ର ସୁଟିଂରେ ବ୍ୟସ୍ତ ଥିବା ଜଣାପଡ଼ିଛି।




