ଓଡ଼ିଶାଦୁର୍ଘଟଣା

ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ରୋଗୀ ମୃତ

ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଟକ, ୧୬ ମାର୍ଚ୍ଚ ୨୦୨୬: କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ (SCB) ମେଡିକାଲ କଲେଜ ଓ ହସପିଟାଲର ଟ୍ରମା କେୟାର ଆଇସିୟୁ (ICU)ରେ ଆଜି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଭାବନୀୟ ଘଟଣାରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଅଗ୍ନିକାଣ୍ଡ ସମୟରେ ଉକ୍ତ ଆଇସିୟୁରେ ମୋଟ ୨୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ଆଜି ହଠାତ୍ ଟ୍ରମା କେୟାର ୟୁନିଟରୁ ଧୂଆଁ ବାହାରିବା ସହ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା, ଯାହାଫଳରେ ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଆଶଙ୍କା କରାଯାଉଛି।

ଅଗ୍ନିକାଣ୍ଡ ପରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇପଡ଼ିଥିଲା ଏବଂ ଗୁରୁତର ରୋଗୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଆଁ ଲିଭା କାର୍ଯ୍ୟରେ ଏକାଧିକ ଦମକଳ ଗାଡ଼ି ନିୟୋଜିତ ହୋଇଥିବା ବେଳେ ଗୁରୁତର ରୋଗୀଙ୍କୁ ଅନ୍ୟ ୱାର୍ଡରେ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି।

ଅଗ୍ନିକାଣ୍ଡ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଏସସିବି ମେଡିକାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ ଅଗ୍ନିକାଣ୍ଡ ଘଟିଥିବା ଟ୍ରମା କେୟାର ୟୁନିଟ୍ ବୁଲି ଦେଖିବା ସହ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହି ମର୍ମନ୍ତୁଦ ଘଟଣାର ସତ୍ୟାସତ୍ୟ ପରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଯଦି କାହାର ଅବହେଳା ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଏସସିବି ମେଡିକାଲ ପରିସରରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।

Related Articles

Back to top button