
ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଧାନସଭା ପରିସରରେ ହୋଇଥିବା ମତଦାନର ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିବା ବେଳେ ଏଥିରେ ସମସ୍ତ ବିଧାୟକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଇଦାନରେ ଥିବାରୁ ଏହି ନିର୍ବାଚନ ବେଶ୍ ରୋମାଞ୍ଚକର ହୋଇଛି।
ବିଜେପିର ମନମୋହନ ସାମଲ ଓ ସୁଜିତ୍ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ନିଜ ନିଜ ଦଳର ସଂଖ୍ୟା ବଳ ଅନୁଯାୟୀ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଜଣା ପଡିଛି । ମାତ୍ର ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ଏବଂ ବିରୋଧୀ ଦଳଗୁଡ଼ିକର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡ଼ା ଟକ୍କର ।
ଆଜିର ଭୋଟିଂ ସମୟରେ ବିଜେଡି ଏବଂ କଂଗ୍ରେସ ଶିବିରରେ ହୋଇଥିବା ‘କ୍ରସ ଭୋଟିଂ’ ଫଳାଫଳକୁ ବଦଳାଇ ଦେବ ଏକ ପ୍ରକାର ସୁନିଶ୍ଚିତ। ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଏବଂ ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା କିଛି ଅନ୍ୟ ବିଧାୟକଙ୍କ ଭୋଟ୍ ଏବେ ଦିଲୀପ ରାୟଙ୍କ ସପକ୍ଷରେ ଯାଇଛି। ଯଦି ଏହି କ୍ରସ ଭୋଟିଂର ପ୍ରଭାବ ଅଧିକ ରହିଥାଏ, ତେବେ ଚତୁର୍ଥ ଆସନଟି ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଖାତାକୁ ଯାଇପାରେ।
ବର୍ତ୍ତମାନ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ଚାଲିଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଉ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଫଳାଫଳ ଆସିଯିବ।




