
ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଧାନସଭା ପରିସରରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପ୍ରତିକ୍ରିୟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ବିଧାନସଭାର ଏକମାତ୍ର ସିପିଏମ ସଦସ୍ୟ ଭାବେ ଶ୍ରୀ ମୁଣ୍ଡା ସ୍ପଷ୍ଟ କରିଛନ୍ତି ଯେ, ସେ ଦଳର ନିଷ୍ପତ୍ତି ଅନୁଯାୟୀ ବିଜେଡି-କଂଗ୍ରେସ-ସିପିଆଇ(ଏମ)ର ମିଳିତ ପ୍ରାର୍ଥୀ ତଥା ‘କମନ୍ କ୍ୟାଣ୍ଡିଡେଟ୍’ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବେ। ସେ କହିଛନ୍ତି ଯେ, ସେ ସବୁବେଳେ ଦଳୀୟ ଆଦର୍ଶ ଓ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି, ତେଣୁ ମିଳିତ ପ୍ରାର୍ଥୀଙ୍କୁ ସମର୍ଥନ କରିବା ତାଙ୍କର ପ୍ରାଥମିକତା।
ଏହି ଅବସରରେ ଶ୍ରୀ ମୁଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରି କହିଛନ୍ତି ଯେ, ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ତାଙ୍କୁ ସମର୍ଥନ ପାଇଁ ଫୋନ୍ କରିଥିଲେ। ମାତ୍ର ସେ ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଥିଲେ।




