
ଭଦ୍ରକ/ଭୁବନେଶ୍ୱର, ୧୯ ମାର୍ଚ୍ଚ ୨୦୨୬: ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ୫.୫୬ କୋଟି ଟଙ୍କାର ପେନ୍ସନ ପାଣ୍ଠି ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି। ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଆଜି ଭଦ୍ରକର ଚରମ୍ପା ଅଞ୍ଚଳର ଏକ ହୋଟେଲରୁ ଗିରଫ କରାଯାଇଛି। ପ୍ରଦୀପ ମହାନ୍ତି ଅବସର ଗ୍ରହଣ କରିବା ପରେ ବିଇଓ (BEO) କାର୍ଯ୍ୟାଳୟରେ ପୁନଃ ନିଯୁକ୍ତି ପାଇଥିଲେ ଏବଂ ସେହି ସମୟରେ ଏହି ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲି ତାଙ୍କ ପୁଅ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଦମ୍ପତିଙ୍କ ଗିରଫଦାରୀ ପରେ ଏହି ମାମଲାରେ ବଡ଼ ପର୍ଦ୍ଦାଫାଶ ହୋଇଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ନୀତି ଧରାପଡ଼ିବା ପରେ ପ୍ରଦୀପ ଓ ତାଙ୍କ ପତ୍ନୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ଲଗାତାର ସ୍ଥାନ ପରିବର୍ତ୍ତନ କରୁଥିଲେ। ସେମାନେ କୋଲକାତାରେ ଲୁଚି ରହିଥିବା ସନ୍ଦେହ କରି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସ ହାତରେ ଧରାପଡ଼ିବା ଭୟରେ ଉଭୟ ଅଭିଯୁକ୍ତ ଗତକାଲି ରାତିରେ କୋଲକାତା ଛାଡ଼ି ଭଦ୍ରକ ପଳାଇ ଆସିଥିଲେ। ଭଦ୍ରକର ଚରମ୍ପା ସ୍ଥିତ ଏକ ହୋଟେଲରେ ନିଜ ପରିଚୟ ଲୁଚାଇ ରହିଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ମାଡ଼ି ବସିଥିଲା। ବର୍ତ୍ତମାନ ଉଭୟଙ୍କୁ ଏହି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା କରାଯାଉଛି।
ତଦନ୍ତରୁ ଜଣାପଡ଼ିଛି ଯେ, ହେରଫେର ହୋଇଥିବା ୫.୫୬ କୋଟି ଟଙ୍କା ପ୍ରଦୀପ ମହାନ୍ତି, ତାଙ୍କ ପତ୍ନୀ ଗୀତାରାଣୀ ଏବଂ ପୁଅ ମାତୃପ୍ରସାଦଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ଏହି ଦୁର୍ନୀତିରେ ଅନ୍ୟ କେଉଁ ସରକାରୀ କର୍ମଚାରୀ କିମ୍ବା ବ୍ୟକ୍ତି ସାମିଲ ଅଛନ୍ତି, ସେ ନେଇ ଭିଜିଲାନ୍ସ ପକ୍ଷରୁ ଛାନଭିନ୍ ଜାରି ରହିଛି। ପେନ୍ସନ ଭୋଗୀଙ୍କ କଷ୍ଟଲବ୍ଧ ଟଙ୍କାକୁ ଅତି ଚତୁରତାର ସହ ନିଜ ପରିବାର ଆକାଉଣ୍ଟକୁ ନେଇଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।




