Breaking Newsଓଡ଼ିଶାରାଜନୀତି

ଭୁବନେଶ୍ଵର ଲୋକସଭା ଆସନରେ ଶାସକ ଦଳର ପ୍ରାର୍ଥୀ କିଏ ହେବ?

ରାଜନୀତିରେ ମହିଳା କାର୍ଡ ଏକ ଅସ୍ତ୍ର ଭାବେ ବିଚାର କରାଯାଉଛି। ବିଶେଷକରି କେନ୍ଦ୍ର ସରକାର ନାରୀ ବନ୍ଦନା ବା ଉମେନ୍ ବିଲ୍ ଆଣିବା ପରେ ଏହି ପ୍ରସଙ୍ଗ ଆହୁରି ଗୁରୁତ୍ଵ ହୋଇଛି। ଏଭଳି ପରିସ୍ଥିତିରେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହାକୁ ନେଇ ଚର୍ଚ୍ଚା ସାରା ରାଜ୍ୟରେ ହେଉଛି। ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା, କେଉଁ ଦଳରୁ କିଏ ହେବ ଭୁବନେଶ୍ଵର ପ୍ରାର୍ଥୀ? ଯାହା ଆଲୋଚନା ହେଉଛି ୨୦୨୪ ଭୁବନେଶ୍ୱରରେ ହେବ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଲଢ଼େଇ। ସେପଟେ ଆହୁରି ଟିକେଟ୍ ଆଶା ଛାଡି ନାହାନ୍ତି ବରିଷ୍ଠ ନେତା ବାବା ପ୍ରସନ୍ନ ପାଟ୍ଟଶାଣି ।

ଏଠାରେ କହିରଖୁଛୁ ଯେ ଶାସକ ଦଳ ବିଜେଡିରୁ ଟିକେଟ ପାଇବା ପାଇଁ ଅନେକ ଆଶାୟୀ ରହିଛନ୍ତି । ସବୁ ନିର୍ବାଚନ ମଣ୍ଡଳୀ ଭଳି ଭୁବନେଶ୍ୱର ଲୋକସଭା ଆସନ ଉପରେ ବି ଅନେକଙ୍କ ନଜର ରହିଛି । ଚର୍ଚ୍ଚାରେ ରହିଛନ୍ତି ବିଜେଡି ମୁଖପାତ୍ର ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । କୁହାଯାଉଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କାଉଣ୍ଟର କରିବାକୁ ବିଜେଡି ଶ୍ରୀମୟୀଙ୍କୁ ନୂଆ ଦାୟିତ୍ୱ ଦେଇଛି । ଆଉ ୨୦୨୪ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇପାରନ୍ତି । ତେବେ ଟିକେଟ ଆଶାରେ ଅଛନ୍ତି ଭୁବନେଶ୍ୱରରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ । ଆଉ ୨୦୨୪ ନିର୍ବାଚନରେ ଟିକେଟ ମିଳିଲେ ଲଢ଼ିବେ ବୋଲି କହିଛନ୍ତି ।

୨୦୧୯ରେ ସମସ୍ତଙ୍କୁ ଚମକାଇ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ନିର୍ବାଚିତ ହୋଇଥିବା ଅପରାଜିତା ଷଡଙ୍ଗୀ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଅପରାଜିତା, ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇ ଭୁବନେଶ୍ୱର ଆସନରୁ ବିଜୟୀ ହୋଇଥିଲେ । ଆଉ ସେ ଏଥର ବି ବିଜେପିର ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି । ଏଥିପାଇଁ ସେ ନିର୍ବାଚନ ମଣ୍ଡଳୀରେ ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେବେ ସେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟରେ ଲଢ଼ିବେ ନା କୌଣସି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବେ? ତାହା ଦଳର ନିଷ୍ପତି ଉପରେ ଛାଡି ଦେଇଛନ୍ତି । ଭୁବନେଶ୍ୱର ରାଜନୀତିକୁ ଅତି ପାଖରୁ ଦେଖିଥିବା ରାଜନୀତି ସମୀକ୍ଷକଙ୍କ ମତରେ ଆଗାମୀ ନିର୍ବାଚନରେ ଭୁବନେଶ୍ୱରେ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇପାରେ । ତେବେ ୨୦୧୯ରେ ସିପିଏମକୁ ଆସନ ଛାଡି ଦେଇଥିବା କଂଗ୍ରେସ ଏଥର ପ୍ରାର୍ଥୀ ଦେବ ବୋଲି, କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କିନ୍ତୁ କେଉଁ ଦଳରୁ କାହାକୁ ଟିକେଟ ମିଳିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com