
ଭୁବନେଶ୍ୱର, ୨୧/୦୨/୨୦୨୬: ରାଜ୍ୟ ବଜେଟକୁ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ ବଜେଟ କହି ସମାଲୋଚନା କରିଛି ବିଜୁ ଜନତା । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ରାଜ୍ୟ ସରକାର ବଜେଟର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୁରି ନେବା ଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ । ଯଦି ପୂର୍ବ ବର୍ଷ ତୁଳନାରେ ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପୀତିକୁ ୮% ହାରରେ ବିଚାରକୁ ନେଲେ, ତେବେ ବଜେଟ ପରିମାଣ ବୃଦ୍ଧି ହୋଇନାହିଁ ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି । ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ବୁଡୁଛି ଓଡିଶା । ମାତ୍ର ୩ଟି ବଜେଟରେ ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି । ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
କୃଷକଙ୍କ ସମସ୍ୟାକୁ ସମାଧାନ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। ବିଭିଜି ରାମଜୀ ଯୋଜନାରେ ୯୦:୧୦ ପରିବର୍ତ୍ତେ, ୬୦:୪୦ରେ ଖର୍ଚ୍ଚ ହେବ, ଯାହା ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ବଢିବ । ଏହି ବଜେଟ ଏକ ପ୍ରଚାରଧର୍ମୀ ବଜେଟ । ଏହା ମୁଙ୍ଗେରି ଲାଲଙ୍କ ହସିନ ସ୍ୱପ୍ନ ଭଳି ସରକାର ରାଜ୍ୟର ବିକାଶ ପାଇଁ ରାଜ୍ୟବାସୀଙ୍କୁ କେବଳ ସ୍ୱପ୍ନ ଦେଖାଉଛନ୍ତି ।
ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡିଶାବାସୀଙ୍କୁ ନିରାଶ କରିଛି, କାରଣ କେନ୍ଦ୍ରୀୟ ଅନୁଦାନ ବଢ଼ୁନାହିଁ, ବରଂ କମୁଛି । ପୂର୍ବ ବଜେଟର ମାତ୍ର ୪୭% ଖର୍ଚ୍ଚ ହୋଇଛି । କେନ୍ଦ୍ର ସରକାରଙ୍କ ଅନୁଦାନ କମିବାରେ ଲାଗୁଛି । ରାଜ୍ୟ ସରକାର ଅନେକ ଯୋଜନା କେବଳ ଘୋଷଣା କରିଦେଉଛନ୍ତି, କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନାହିଁ ।
ଗୌତମବୁଦ୍ଧ ଦାସ କହିଛନ୍ତି, ବଜେଟଟି ହେଉଛି ଅନ୍ତସାର ଶୂନ୍ୟ ବଜେଟ । ଗୋଟିଏ ଦାୟିତ୍ୱହୀନ ସରକାରଙ୍କର ଦୃଷ୍ଟିହୀନ ବଜେଟ । ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ନବୀନ ବାବୁ ଓଡିଶାକୁ ଏକ ନମ୍ୱରରେ ପହଞ୍ଚାଇଥିଲେ । କିନ୍ତୁ ଋଣବୋଝ ବଢ଼ାଇବାରେ ଲାଗିଛନ୍ତି ରାଜ୍ୟ ସରକାର । ସମୁଦାୟ ଋଣ ପରିମାଣରୁ ପ୍ରାୟ ୪୦% ଖୋଲା ବଜାରରୁ ଚଢ଼ା ସୁଧ ଦରରେ ଋଣ ନିଆଯାଉଛି, ଯାହା ରାଜ୍ୟର ଆର୍ଥିକ ସ୍ଥିତିକୁ ରେଡ୍ ଜୋନ୍କୁ ନେଇଯାଉଛି । ବିଡ଼ମ୍ୱନାର ବିଷୟ ଯେ, ସରକାର ବଜେଟରେ ବିଭିନ୍ନ ବିଭାଗ ପାଇଁ ପ୍ରାବଧାନ କରିଥିବା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି, କିନ୍ତୁ ଚଢ଼ା ସୁଧରେ ଋଣ ନେଉଛନ୍ତି । ରାଜ୍ୟର ଅଭିବୃଦ୍ଧି ହାର କମୁଛି ଋଣ ବଢୁଛି । ଏହା ରାଜ୍ୟର ଅର୍ଥନୀତିକୁ ପଙ୍ଗୁ କରିଦେବ । ବିତ୍ତୀୟ ନିଅଣ୍ଟ ୧.୭%ରୁ ୩.୫%କୁ ବୃଦ୍ଧି ପାଇଛି ।




