
ଭୁବନେଶ୍ୱର ,ଆଜି ଭାରତର-ଦକ୍ଷିଣ ଆଫ୍ରିକା ଟକ୍କର। ଅହମ୍ମଦାବରେ ରାତି ୭ଟାରେ ହାଇଭୋଲଟେଜ୍ ମ୍ୟାଚ୍ ରହିଛି। ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍ ଜିତି ସୁପର-୮କୁ ପ୍ରବେଶ କରିଛନ୍ତି। ଏଣୁ ଉଭୟ ଦଳ ମଧ୍ୟରେ, ଜୋରଦାର ଲଢ଼େଇ ହେବ ବୋଲି ଆଶା କରାଯାଉଛି। ଟି-୨୦ ବିଶ୍ବକପ୍ ସୁପର-୮ରେ ଆଜି ଭାରତୀୟ ବ୍ୟାଟିଂର ଅସଲ ପରୀକ୍ଷା ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ବିପକ୍ଷରେ, ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ଅଭିଷେକଙ୍କ ଖରାପ୍ ଫର୍ମ। ଗତ ୩ଟି ମ୍ୟାଚରେ ସେ ଭଲ ଖେଳି ନାହାନ୍ତି। ତାସତ୍ତ୍ବେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ନପାରନ୍ତି ସୂର୍ଯ୍ୟକୁମାର। ସେପଟେ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ, ସବୁବେଳେ ଭଲ ପ୍ରଦର୍ଶନ କରୁଥିବା ଓପନର୍ ତଥା ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’କକ୍ ଙ୍କୁ ଅସ୍ତ୍ର କରିବ ବୋଲି ସଙ୍କେତ ଦେଇଛି। ଗତକାଲି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଢେର ସମୟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପିଚକୁ ଅନୁଧ୍ୟାନ କରିଛନ୍ତି। ଉଭୟ ଦଳ ଅଦ୍ୟାବଧି ଭଲ ପ୍ରଦର୍ଶନ କରିଥିବାରୁ, କ୍ରିକେଟ୍ ବିଶେଷଜ୍ଞ ଏହି ମ୍ୟାଚ୍କୁ ଫାଇନାଲ ପୂର୍ବର ଫାଇନାଲ ବୋଲି କହିଛନ୍ତି। ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା କଷ୍ଟସାଧ୍ୟ ଗ୍ରୁପ୍ରେ ଥାଇ ସମସ୍ତ ମ୍ୟାଚ୍ ଜିତିଛି। ଦକ୍ଷିଣ ଆଫ୍ରିକା ଜିତିଥିବା ଦୁଇ ଆଇସିସି ଇଭେଣ୍ଟ ହେଉଛି, ୧୯୯୮ ଚମ୍ପିଆନ୍ସ ଟ୍ରଫି ଓ ୨୦୨୫ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍।




