ଓଡ଼ିଶାସ୍ୱାସ୍ଥ୍ୟ

 କିଶୋରୀଙ୍କୁ ଦିଆଯିବ ଜରାୟୁ କର୍କଟ ଟୀକା

ଭୁବନେଶ୍ୱର,୨୫/୦୨/୨୦୨୬: କର୍କଟ ବିରୋଧୀ ଲଢ଼େଇରେ ଆରମ୍ଭ ହେବାକୁ ଯାଉଛି ଏକ ବଡ଼ ଅଭିଯାନ। ଏବେ ଦେଶର କିଶୋରୀମାନଙ୍କୁ ସୁରକ୍ଷା କବଚ ଯୋଗାଇବେ ସରକାର। ଜରାୟୁ କର୍କଟ ବା ସର୍ଭାଇକାଲ କ୍ୟାନ୍ସର ରୋକିବା ପାଇଁ ଆରମ୍ଭ ହେବ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ।ଚଳିତ ମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଅଜମେରରୁ ଏହି ‘ଏଚପିଭି’ (ହ୍ୟୁମାନ ପାପୀଲୋମା ଭାଇରସ) ଟୀକାକରଣର ଶୁଭାରମ୍ଭ କରିବେ। ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁସାରେ, ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ |

ଏହି ଟୀକା କିପରି ଦିଆଯିବ, ତାହା ମଧ୍ୟ ସ୍ପଷ୍ଟ କରାଯାଇଛି। ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀଙ୍କୁ କେବଳ ଗୋଟିଏ ଡୋଜ୍ ଟୀକା ଦିଆଯିବ। କିନ୍ତୁ ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ କିଶୋରୀମାନଙ୍କୁ ୩ଟି ଡୋଜ୍ ଟୀକା ନେବାକୁ ପଡ଼ିବ। ବଜାରରେ ଏହାର ଦାମ ଅଧିକ ଥିବାରୁ, ଏବେ ସରକାର ଜାତୀୟ ଟୀକାକରଣ ଅଭିଯାନରେ ଏହାକୁ ସାମିଲ କରି ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରିବେ ।

କେବଳ ଟୀକା ନୁହେଁ, ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ୩୧୧ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ଜରାୟୁ, ସ୍ତନ ଓ ଅନ୍ୟାନ୍ୟ କର୍କଟ ରୋଗର ମୁକାବିଲା କରି ଅମୂଲ୍ୟ ଜୀବନ ରକ୍ଷା କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ।

 

Related Articles

Back to top button