
ଭୁବନେଶ୍ୱର,୨୬/୦୨/୨୦୨୬: ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଉପସ୍ଥିତିରେ ଚାଲିଥିବା ଏହି ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଆଲୋଚନାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଥିବା ବେଳେ ରାଜ୍ୟ ରାଜନୀତିର ବିଭିନ୍ନ ପ୍ରସଙ୍ଗ ଏବଂ ଦଳୀୟ ରଣନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣା ଚାଲିଥିବା ଜଣାପଡ଼ିଛି।
ଏହି ବୈଠକରେ ରାଜ୍ୟ ସଭାପତିଙ୍କ ସମେତ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି। ସାଂସଦ ସୁଜିତ କୁମାରଙ୍କ ସହ ବରିଷ୍ଠ ନେତୃତ୍ୱଙ୍କ ଏହି ଗୁପ୍ତ ଆଲୋଚନା ଆଗାମୀ ଦିନରେ ଦଳର ଗତିବିଧି ଓ ରାଜନୈତିକ ସମୀକରଣ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତେବେ ବୈଠକର ପ୍ରକୃତ ଉଦ୍ଦେଶ୍ୟ ଓ ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।




