
ଭୁବନେଶ୍ୱର,୨୬/୦୨/୨୦୨୬: ରାଜଧାନୀ ଭୁବନେଶ୍ୱରରେ ଆଜି ED ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। କୋଲକାତା EDର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରର ୫ଟି ପ୍ରମୁଖ ସ୍ଥାନରେ ଏହି ରେଡ୍ କରିଥିବା ସୂଚନା ମିଳିଛି। ବିଶେଷ କରି ବ୍ୟାପକ ଅର୍ଥ ହେରଫେର ଏବଂ ଜମି ଜାଲିଆତି ଅଭିଯୋଗକୁ ନେଇ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚଢ଼ାଉ ଜାରି ରହିଥିବା ବେଳେ ଏହାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।
ଏହି ଅଭିଯାନ ସମୟରେ ED ଟିମ୍ ହାଇଟେକ୍ ମେଡିକାଲ କଲେଜ ସମେତ ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟର ସହିଦନଗର ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଛି। ବିଭିନ୍ନ କାଗଜପତ୍ର ଏବଂ ଆର୍ଥିକ କାରବାରର ତଥ୍ୟ ଯାଞ୍ଚ କରାଯାଉଥିବା ବେଳେ ଜମି ଜାଲିଆତିରେ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ କରାଯାଉଛି। ଏହି ରେଡ୍ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବେଜ ଜବତ ହେବାର ସମ୍ଭାବନା ରହିଛି।




