
ନୂଆଦିଲ୍ଲୀ,୨୭/୦୨/୨୦୨୬: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶାରେ ଦଳର ସାଂଗଠନିକ ସ୍ଥିତି ଏବଂ ସମନ୍ବୟକୁ କିପରି ଆହୁରି ସୁଦୃଢ଼ କରାଯାଇପାରିବ, ସେ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ୍ସ (X) ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ରାଜ୍ୟର ବିକାଶମୂଳକ ପଦକ୍ଷେପକୁ ତ୍ୱରାନ୍ବିତ କରିବା ଏବଂ ସୁଶାସନ ମାଧ୍ୟମରେ ଲୋକଙ୍କ କଲ୍ୟାଣ ପାଇଁ ଦଳ ପ୍ରତିବଦ୍ଧ ରହିଛି।
ଯଦିଓ ଏହି ବୈଠକକୁ ଆନୁଷ୍ଠାନିକ ଭାବେ ସାଂଗଠନିକ ସମନ୍ବୟ ଏବଂ ବିକାଶ ଉପରେ ଆଧାରିତ ବୋଲି କୁହାଯାଉଛି, କିନ୍ତୁ ରାଜନୈତିକ ମହଲରେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଓଡ଼ିଶାରେ ଆଗକୁ ରାଜ୍ୟସଭା ନିର୍ବାଚନ ହେବାକୁ ଥିବାରୁ, ଏହି ବୈଠକରେ ପ୍ରାର୍ଥୀ ଚୟନ ସମ୍ପର୍କରେ ଗମ୍ଭୀର ଆଲୋଚନା ହୋଇଥିବା ଅନୁମାନ କରାଯାଉଛି। ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ କଳ୍ପନାଜଳ୍ପନା ତୀବ୍ର ହୋଇଛି।
ବର୍ତ୍ତମାନର ବିଧାନସଭା ସଂଖ୍ୟା ଗରିଷ୍ଠତାକୁ ଦେଖିଲେ, ଭାଜପା ଦୁଇଟି ଆସନ ଏବଂ ବିଜେଡି ଗୋଟିଏ ଆସନରେ ସହଜରେ ବିଜୟୀ ହେବା ସ୍ଥିତିରେ ଅଛନ୍ତି। କିନ୍ତୁ ଚତୁର୍ଥ ଆସନଟି କାହା ଖାତାକୁ ଯିବ, ସେଥିପାଇଁ କୌଣସି ଦଳ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ନାହିଁ। ଏଭଳି ସ୍ଥିତିରେ ସମସ୍ତଙ୍କ ନଜର ଏବେ ଚତୁର୍ଥ ଆସନ ଉପରେ ରହିଛି ଏବଂ ଭାଜପା କେଉଁ ରଣନୀତି ଆପଣାଉଛି, ତାହା ଦେଖିବାକୁ ବାକି ରହିଲା।




