ଓଡ଼ିଶା

ବକେୟା ରାଜସ୍ୱ ଆଦାୟ ପାଇଁ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୨୮/୦୨/୨୦୨୬: ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାର ଏବେ ବକେୟା ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେଇଛନ୍ତି। ବକେୟା ଭୂରାଜସ୍ଵ ଓ ଜଳକରକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଦାୟ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗ ପକ୍ଷରୁ ଏକ ବଡ଼ ଲକ୍ଷ୍ୟ ରଖାଯାଇଛି। ସମୁଦାୟ ୯୮୦ କୋଟି ଟଙ୍କାର ଭୂରାଜସ୍ଵ ଏବଂ ୨୫.୩୨ କୋଟି ଟଙ୍କାର ଜଳକର ଆଦାୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥରାଶିକୁ ସମ୍ପୂର୍ଣ୍ଣ ଭାବେ ଆଦାୟ କରିବାକୁ ଜିଲ୍ଲାପାଳମାନଙ୍କୁ ଯତ୍ନବାନ୍ ହେବାକୁ କୁହାଯାଇଛି, ଯେପରି କୌଣସି ବକେୟା ବାକି ନରୁହେ।

କେବଳ ଜିଲ୍ଲାପାଳ ନୁହଁନ୍ତି, ବରଂ ସମସ୍ତ ରାଜସ୍ୱ ଡିଭିଜନାଲ କମିଶନରମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ବକେୟା ଆଦାୟର ସ୍ଥିତି ପରଖିବା ପାଇଁ ପ୍ରତି ସପ୍ତାହରେ ସାପ୍ତାହିକ ବୈଠକ କରିବାକୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକ ଜରିଆରେ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରାଯିବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯିବ।

Related Articles

Back to top button