ଓଡ଼ିଶାରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ଦୁଇ ‘ମାଷ୍ଟରଷ୍ଟ୍ରୋକ୍’; କିଏ ଏହି ଡାକ୍ତର ଦତ୍ତେଶ୍ୱର ହୋତା ଓ ଡକ୍ଟର ସଂତୃପ୍ତ ମିଶ୍ର?

ଭୁବନେଶ୍ୱର,୨୮/୦୨/୨୦୨୬: ଓଡ଼ିଶାରୁ ରାଜ୍ୟସଭା ଯିବାକୁ ଥିବା ଖାଲି ଆସନ ପାଇଁ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ଦୁଇଜଣ ଅତ୍ୟନ୍ତ ଅଭିଜ୍ଞ ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଚୟନ କରିଛନ୍ତି । ସେମାନେ ହେଲେ ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ବିଶ୍ୱସ୍ତରୀୟ ଡକ୍ଟର ସଂତୃପ୍ତ ମିଶ୍ର ।

ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଥିବା ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ଜଣେ ଜଣାଶୁଣା ୟୁରୋଲୋଜିଷ୍ଟ, ଯାହାଙ୍କର ପ୍ରାୟ ୪୦ ବର୍ଷରୁ ଅଧିକ ସମୟର ଚିକିତ୍ସା ଅଭିଜ୍ଞତା ରହିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ହୋତା ନିଜର ସଠିକ୍ ରୋଗ ନିରୂପଣ ଏବଂ ସେବା ମନୋଭାବ ପାଇଁ ରୋଗୀଙ୍କ ମଧ୍ୟରେ ଅତି ପ୍ରିୟ । ସେ ୧୯୮୩ରେ ଏସସିବି ମେଡିକାଲ କଲେଜରୁ ଏମବିବିଏସ (MBBS) ଏବଂ ୧୯୮୬ରେ ଏମଏସ (MS) ଶେଷ କରିଥିଲେ । ପରେ ୧୯୯୪ରେ ଚଣ୍ଡିଗଡ଼ ପିଜିଆଇଏମଇଆର (PGIMER)ରୁ ସେ ୟୁରୋଲୋଜିରେ ଏମସିଏଚ୍ (MCh) ଡିଗ୍ରୀ ହାସଲ କରିଥିଲେ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଏବଂ ଗବେଷଣାତ୍ମକ କାର୍ଯ୍ୟ ଏବେ ସଂସଦରେ ଓଡ଼ିଶାର ସ୍ୱାସ୍ଥ୍ୟ ସମସ୍ୟା ଉପସ୍ଥାପନ କରିବାରେ ସହାୟକ ହେବ ।

ଅନ୍ୟତମ ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ର ହେଉଛନ୍ତି ଜଣେ ବିଶ୍ୱସ୍ତରୀୟ ବ୍ୟବସାୟିକ ନେତା ଏବଂ କର୍ପୋରେଟ୍ ଗଭର୍ଣ୍ଣାନ୍ସ ଏକ୍ସପର୍ଟ । ସେ ଦୀର୍ଘ ବର୍ଷ ଧରି ବିଶ୍ୱର ପ୍ରତିଷ୍ଠିତ ଆଦିତ୍ୟ ବିର୍ଲା ଗ୍ରୁପ୍‌ରେ ଏଚଆର ଡିରେକ୍ଟର (HR Director) ଭାବେ କାର୍ଯ୍ୟ କରି ୨୦୨୪ରେ ଅବସର ନେଇଥିଲେ । ଏହାପରେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରି ବିଜେଡିର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ସେ କଟକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ ଡକ୍ଟର ମିଶ୍ରଙ୍କର ଅର୍ଥନୈତିକ ଏବଂ କର୍ପୋରେଟ୍ ଦକ୍ଷତା ସଂସଦରେ ଦଳର ସ୍ୱରକୁ ଅଧିକ ଶାଣିତ କରିବ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ପ୍ରତିଭା ଏବଂ ଅଭିଜ୍ଞତାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଚିକିତ୍ସା କ୍ଷେତ୍ରର ଅଭିଜ୍ଞତା ଏବଂ ସଂତୃପ୍ତ ମିଶ୍ରଙ୍କ କର୍ପୋରେଟ୍ ଦକ୍ଷତା- ଏହି ଦୁଇଟି ଯାକ ସମ୍ମିଶ୍ରଣ ଦଳକୁ ରାଷ୍ଟ୍ରୀୟ ସ୍ତରରେ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି । ରାଜ୍ୟସଭାକୁ ଏହି ଦୁଇ ଦକ୍ଷ ବ୍ୟକ୍ତିତ୍ୱଙ୍କୁ ପଠାଇ ଓଡ଼ିଶାର ବିକାଶ ଓ ଦାବିକୁ ଦୃଢ଼ ଭାବରେ ଉପସ୍ଥାପନ କରିବା ପାଇଁ ବିଜେଡି ବଡ଼ ପ୍ରସ୍ତୁତି କରିଛି ।

Related Articles

Back to top button