ମାର୍ଚ୍ଚ ପହିଲାରୁ ଏହି ସବୁ ସାମଗ୍ରୀର ଦର ବୃଦ୍ଧି…
LPG ସିଲିଣ୍ଡର ମୂଲ୍ୟଠୁ ନେଇ SIM କାର୍ଡ଼, UPI ଟ୍ରାଞ୍ଜାକ୍ସନ୍ ବଦଳିଲା ନିୟମ

ଭୁବନେଶ୍ୱର,୦୨/୦୩/୨୦୨୬: ନୂଆ ଆର୍ଥିକ ବର୍ଷର ଶେଷ ମାସ ଆରମ୍ଭ ହେବା ସହ ସାଧାରଣ ଜନତାଙ୍କ ପକେଟ୍ ଉପରେ ବଢ଼ିଛି ଚାପ । ହୋଲି ପର୍ବ ପୂର୍ବରୁ ଏଲପିଜି ସିଲିଣ୍ଡର ମୂଲ୍ୟରେ ୩୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି , ଯାହା ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦର ୧୭୬୮.୫୦ ଟଙ୍କାରେ ପହଞ୍ଚିଛି। ଗତ ତିନି ମାସ ମଧ୍ୟରେ ଏହି ଦର ପ୍ରାୟ ୧୮୮ ଟଙ୍କା ବୃଦ୍ଧି ପାଇ ସାରିଲାଣି। କେବଳ ସିଲିଣ୍ଡର ନୁହେଁ ବିମାନ ଇନ୍ଧନ ବା ATF ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି, ଯାହା ଆଗାମୀ ଦିନରେ ବିମାନ ଯାତ୍ରାକୁ ଅଧିକ ମହଙ୍ଗା କରିବାର ସମ୍ଭାବନା ସୃଷ୍ଟି କରିଛି।
ଡିଜିଟାଲ୍ ଦୁନିଆରେ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ସିମ୍ ବାଇଣ୍ଡିଂ’ର ଏକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ଏହି ନିୟମ ଅନୁଯାୟୀ, ହ୍ୱାଟ୍ସଆପ୍, ଟେଲିଗ୍ରାମ ଏବଂ ସିଗନାଲ ପରି ମେସେଜିଂ ଆପ୍ ଗୁଡ଼ିକ କେବଳ ସେତେବେଳେ କାମ କରିବ ଯଦି ଫୋନରେ ଆକ୍ଟିଭ୍ ସିମ୍ କାର୍ଡ ଲଗାଯାଇଥିବ। ସାଇବର ଠକେଇ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବେଳେ, ଯଦି ଆପଣ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି, ତେବେ ଏହା ୬ ଘଣ୍ଟା ମଧ୍ୟରେ ଲଗ୍ ଆଉଟ୍ ହୋଇଯିବ |
ରେଳ ଯାତ୍ରୀଙ୍କ ପାଇଁ ମଧ୍ୟ ବଡ଼ ପରିବର୍ତ୍ତନ , ପୁରୁଣା UTS ଆପ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ସାଧାରଣ ଟିକେଟ୍, ପ୍ଲାଟଫର୍ମ ଟିକେଟ୍ ଏବଂ ସିଜିନ୍ ଟିକେଟ୍ ବୁକିଂ ପାଇଁ ଯାତ୍ରୀମାନଙ୍କୁ ରେଳବାଇର ନୂଆ ‘ରେଲ୍ ୱାନ୍’ (Rail One) ଆପ୍ ବ୍ୟବହାର କରିବାକୁ ପଡ଼ିବ। ଯେଉଁମାନଙ୍କର ପୁରୁଣା UTS ୱାଲେଟରେ ଟଙ୍କା ଅଛି, ସେମାନେ ସମାନ ମୋବାଇଲ୍ ନମ୍ବର ବ୍ୟବହାର କରି ନୂଆ ଆପ୍କୁ ନିଜର ବାଲାନ୍ସ ସ୍ଥାପନ୍ତର କରିପାରିବେ। ଏହି ସମସ୍ତ ପରିବର୍ତ୍ତନ ସିଧାସଳଖ ଭାବେ ଜଣେ ସାଧାରଣ ବ୍ୟକ୍ତିର ଦୈନନ୍ଦିନ ଜୀବନଶୈଳୀ ଏବଂ ବଜେଟ୍ ଉପରେ ପ୍ରଭାବ ପକାଇବ।
UPI ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି। ବଡ଼ କାରବାର ପାଇଁ PIN ବ୍ୟତୀତ ବାୟୋମେଟ୍ରିକ୍ କିମ୍ବା ମଲ୍ଟି-ଫ୍ୟାକ୍ଟର୍ ଅଥେଣ୍ଟିକେସନ୍ ଆବଶ୍ୟକ ହୋଇପାରେ। ଏହା ସହିତ, କିଛି ସରକାରୀ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ସଂଶୋଧନ କରିଛନ୍ତି। ରିପୋର୍ଟ ଅନୁସାରେ, ସର୍ବନିମ୍ନ ବାଲାନ୍ସ ବଜାୟ ନ ରଖିବା ପାଇଁ ଦଣ୍ଡ ସଂଶୋଧନ କରାଯାଇଛି।




