ଅନ୍ତର୍ଜାତୀୟଯୁଦ୍ଧ

ଆମେରିକାରେ ତୈଳ ସଙ୍କଟ: ଟ୍ରମ୍ପଙ୍କ ପାଇଁ ବଢ଼ିଲା ଅଡୁଆ

ୱାଶିଂଟନ/ତେହେରାନ, ୦୭ ମାର୍ଚ୍ଚ ୨୦୨୬: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ଆମେରିକା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଗୋଟିଏ ପଟେ ଇରାନର ଘନ ଘନ ଆକ୍ରମଣ ଏବଂ ଅନ୍ୟପଟେ ଆମେରିକାର ଖାଲି ପଡ଼ିଥିବା ତୈଳ ଭଣ୍ଡାର (Strategic Petroleum Reserve), ଏହି ଦୁଇଟି କାରଣ ଏବେ ବିଶ୍ୱ ଶକ୍ତି ଆମେରିକାକୁ ଚିନ୍ତାରେ ପକାଇ ଦେଇଛି। ବିଶେଷଜ୍ଞଙ୍କ ମତରେ, ଆମେରିକାର ସବୁଠାରୁ ବଡ଼ ଦୁର୍ବଳତାକୁ ଇରାନ ଜାଣିଦେଇଛି।

ଆମେରିକାର ଷ୍ଟ୍ରାଟେଜିକ୍ ପେଟ୍ରୋଲ ରିଜର୍ଭର ମୋଟ କ୍ଷମତା ୭୧.୪ ମିଲିୟନ ବ୍ୟାରେଲ ହୋଇଥିବା ବେଳେ ଏବେ ଏହା ମାତ୍ର ୪୧.୫ ମିଲିୟନ ବ୍ୟାରେଲରେ ସୀମିତ ହୋଇ ରହିଛି। ଯଦି ଯୁଦ୍ଧ ଲମ୍ବା ସମୟ ଧରି ଚାଲେ, ତେବେ ଏହି ତେଲ ମାତ୍ର ୧୨ ଦିନ ମଧ୍ୟରେ ଶେଷ ହୋଇଯିବାର ଆଶଙ୍କା ରହିଛି। ପୂର୍ବରୁ ଜୋ ବାଇଡେନଙ୍କ କାର୍ଯ୍ୟକାଳ ସମୟରେ ପେଟ୍ରୋଲ ଦାମ ନିୟନ୍ତ୍ରଣ ପାଇଁ ବହୁ ମାତ୍ରାରେ ତୈଳ କଢ଼ାଯାଇଥିଲା। ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହି ଭଣ୍ଡାରକୁ ପୂର୍ଣ୍ଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ।

ଯୁଦ୍ଧ ସମୟରେ ତୈଳ ସଙ୍କଟର ସମ୍ମୁଖୀନ ହୋଇଥିବା ଆମେରିକା ଏବେ ଭାରତ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛି। ଯେଉଁ ଆମେରିକା ପୂର୍ବରୁ ଭାରତ ଉପରେ ଟାରିଫ୍ ବଢ଼ାଇବାକୁ ଧମକ ଦେଉଥିଲା, ସେ ଏବେ ରୁଷିଆରୁ ତେଲ ଆଣୁଥିବା ଭାରତକୁ ସମର୍ଥନ ମାଗୁଛି। ‘ଫାଇନାନ୍ସିଆଲ ଟାଇମ୍ସ’ର ରିପୋର୍ଟ ଅନୁସାରେ, ଆମେରିକାରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ଯୋଗୁଁ ସାଧାରଣ ଜନତାଙ୍କ ଉପରେ ବୋଝ ବଢ଼ିଛି, ଯାହା ଟ୍ରମ୍ପ ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ସାଜିଛି।

ଇରାନ ପାଖରେ ପ୍ରଚୁର ତୈଳ ସମ୍ପଦ ଥିବା ବେଳେ ଆମେରିକା ପାଇଁ ଯୁଦ୍ଧ ବିମାନ ଓ ସାମରିକ ଯାନ ଉଡ଼ାଇବା ଏବେ କଷ୍ଟକର ହୋଇପଡ଼ିଛି। ଇସ୍ରାଇଲ ଓ ଆମେରିକାର ମିଳିତ ଆକ୍ରମଣର ଜବାବରେ ଇରାନର ପଦକ୍ଷେପ ଏବେ ଖୋଦ୍ ଆମେରିକା ଉପରେ ଭାରି ପଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଆମେରିକା କିଭଳି ଭାବେ ଏହି ସଙ୍କଟର ମୁକାବିଲା କରିବ, ତାହା ଉପରେ ସାରା ବିଶ୍ୱର ନଜର ରହିଛି।

Related Articles

Back to top button