ଆମେରିକାରେ ତୈଳ ସଙ୍କଟ: ଇରାନ ସହ ଯୁଦ୍ଧ ଭିତରେ ଖାଲି ହେଲାଣି ଆମେରିକାର ଭଣ୍ଡାର, ଚିନ୍ତାରେ ଟ୍ରମ୍ପ

ୱାଶିଂଟନ, ୧୦/୦୩/୨୦୨୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଛି। ଏହି ସଂଘର୍ଷ ଭିତରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏବେ ଏକ ବଡ଼ ରଣନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଇରାନ ପକ୍ଷରୁ ଘନ ଘନ ମିସାଇଲ୍ ମାଡ଼ ଜାରି ରହିଥିବା ବେଳେ ଆମେରିକା ପାଖରେ ଏବେ ତୈଳ ଭଣ୍ଡାର ଶେଷ ହେବାକୁ ବସିଛି। ଯେଉଁଥିପାଇଁ ଆମେରିକାର ଘାତକ ଫାଇଟର ଜେଟ୍ ଗୁଡ଼ିକର ଉଡ଼ାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆମେରିକା ପାଖରେ ଏବେ ମାତ୍ର ୬ ଦିନର ତୈଳ ମହଜୁଦ ଅଛି। ୧୯୭୪ ମସିହାରେ ଜରୁରୀକାଳୀନ ସମୟ ପାଇଁ ନିର୍ମାଣ କରାଯାଇଥିବା ଆମେରିକାର ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ଏବେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହାର ମୋଟ କ୍ଷମତା ୭୧.୪ ମିଲିୟନ ବ୍ୟାରେଲ ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ମାତ୍ର ୪୧.୫ ମିଲିୟନ ବ୍ୟାରେଲ ତେଲ ବାକି ରହିଛି। ଯୁଦ୍ଧ ସମୟରେ ବିଶାଳ ସାମରିକ ଆବଶ୍ୟକତାକୁ ଦେଖିଲେ ଏହି ପରିମାଣ ଅତ୍ୟନ୍ତ ନଗଣ୍ୟ।
ରିପୋର୍ଟ ଅନୁସାରେ, ଯେତେବେଳେ ବିଶ୍ୱ ବଜାରରେ ତେଲ ଦର କମ୍ ଥିଲା, ସେତେବେଳେ ଆମେରିକା ପ୍ରଶାସନ ନିଜର ରିଜର୍ଭ ଭଣ୍ଡାରକୁ ପୂର୍ଣ୍ଣ କରିବାର ସୁଯୋଗ ହାତଛଡ଼ା କରିଥିଲେ। ଏବେ ଇରାନ ସହ ସିଧାସଳଖ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ପାଖରେ ଜରୁରୀକାଳୀନ କାର୍ଯ୍ୟ ପାଇଁ ମଧ୍ୟ ପର୍ଯ୍ୟାପ୍ତ ଇନ୍ଧନ ନାହିଁ। ଇରାନ ପାଖରେ ପ୍ରଚୁର ତୈଳ ଭଣ୍ଡାର ଥିବାରୁ ସେ ଦୀର୍ଘ ସମୟ ଧରି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ଥିବା ବେଳେ ଆମେରିକା ପାଇଁ ଏହା ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି।
ଯଦି ଆସନ୍ତା କିଛି ଦିନ ମଧ୍ୟରେ ଆମେରିକା ତୈଳ ଯୋଗାଣର ବିକଳ୍ପ ବ୍ୟବସ୍ଥା ନକରେ, ତେବେ ତାର ଶକ୍ତିଶାଳୀ ବାୟୁସେନା ପ୍ରଭାବିତ ହେବା ନିଶ୍ଚିତ। ବିଶାଳ ତୈଳ ଟାଙ୍କି ଖାଲି ପଡ଼ିଥିବାରୁ ଫାଇଟର ଜେଟ୍ ଏବଂ ଯୁଦ୍ଧ ଜାହାଜ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି। ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଯେ, ସେ କିଭଳି ଭାବେ ନିଜ ସେନା ପାଇଁ ତେଲ ଯୋଗାଡ଼ କରିବେ ଏବଂ ଏହି ମହାସଙ୍କଟରୁ ମୁକୁଳିବେ।




