ଗଞ୍ଜାମରେ ଅନ୍ଧବିଶ୍ୱାସର ଭୟଙ୍କର ରୂପ: ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହାତ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ

ବେଲଗୁଣ୍ଠା, ୧୧/୦୩/୨୦୨୬: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡି କରୁଥିବା ସନ୍ଦେହ କରି ଗ୍ରାମବାସୀମାନେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି। ପୋଲିସ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେଇ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗତ ୭ ତାରିଖ ଶନିବାର ବିଳମ୍ବିତ ରାତିରେ ଚଢ଼ିଆପଲ୍ଲୀ ଢେପ ସାହିର ଗୋପାଳକୃଷ୍ଣ ସେଠୀ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିର ନିକଟରେ ଏକ ଶାଢ଼ୀ ପିନ୍ଧି, ଫୁଲମାଳ ଗଳାଇ ଓ ହାତରେ ଏକ ଖପୁରୀ ଧରି ପୂଜାର୍ଚ୍ଚନା କରୁଥିଲେ। ଏହା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଗୁଣି ସନ୍ଦେହ ସୃଷ୍ଟି ହୋଇଥିଲା। ଉତ୍ତେଜନା ଏପରି ବଢ଼ିଥିଲା ଯେ ପ୍ରାୟ ୨୦ ରୁ ୩୦ ଜଣ ଲୋକ ଗୋପାଳକୃଷ୍ଣଙ୍କ ହାତ ବାନ୍ଧି ପକାଇ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ବୃଦ୍ଧଙ୍କ ହାଡ଼ ଭାଙ୍ଗିଯିବା ସହ ଶରୀରରେ ଅନେକ ଗଭୀର କ୍ଷତ ସୃଷ୍ଟି ହୋଇଛି।
ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଥିଲା। ବର୍ତ୍ତମାନ ସେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ପୁଅ ଜ୍ୟୋତିର୍ମୟ ସେଠୀଙ୍କ ଅଭିଯୋଗ କ୍ରମେ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ କଠୋର ଧାରା ଅନୁଯାୟୀ ମାମଲା ରୁଜୁ କରିଛି।
ପୋଲିସ ଏହି ମାମଲାରେ ଖଲି ସ୍ୱାଇଁ, ବୈଦ୍ୟନାଥ ପ୍ରଧାନ, ସନ୍ତୋଷ ବିଶୋଇ, ବାଦଲ ବିଶୋଇ, ମରାଠି ସ୍ୱାଇଁ, ରାମ କୃଷ୍ଣ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ନୀଳାଞ୍ଚଳ ପ୍ରଧାନ, ଶିବରାମ ବିଶୋଇ ଏବଂ ରଞ୍ଜନ ବିଶୋଇଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ରକ୍ତଭିଜା ବାଉଁଶ ବାଡ଼ି ଓ ରଶି ମଧ୍ୟ ଜବତ କରାଯାଇଛି।ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ, ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ସମାଜରେ ଆଜି ବି ବଳବତ୍ତର ଥିବା ଏହିଭଳି ଅନ୍ଧବିଶ୍ୱାସ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି।




